ଜୈବିକ ପଦ୍ଧତିରେ ହେଉଛି ହଳଦୀ ଚାଷ ବଜାରୀ କରଣ ସୁବିଧା ନଥିବାରୁ ଅସନ୍ତୋଷ
ଲକ୍ଷ୍ମୀପୁର: ହଳଦୀ ଚାଷ ପାଇଁ ଆକୃଷ୍ଠ ହେଉଛି ଚାଷୀ। ଏହା ଏକ ଅର୍ଥକାରୀ ଫସଲ ହୋଇଥିବାବେଳେ ବେଶ ଦୁଇ ପଇସା ରୋଜଗାର ନେଇ ଚାଷୀ ଆଶା ବାନ୍ଧିଛନ୍ତି। ଦିନ ରାତି ଏକ କରି ହଲଦୀ ଚାଷରେ ଲାଗିପଡ଼ିଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ର ଶହ ଶହ ଚାଷୀ। ଏଠାକାର ଚାଷୀ ସାର ବଦଳରେ ଜୈବିକ ପଦ୍ଧତିରେ ହଳଦୀ ଚାଷ କରୁଥିବାରୁ ଏଠାକାର ହଳଦୀର ଚାହିଦା ବଢ଼ିବାରେ ଲାଗିଛି। ଫଳରେ ଲକ୍ଷ୍ମୀପୁର ହଳଦୀ ଏବେ ବେଶ ଚର୍ଚ୍ଚାରେ ଅଛି। ଚାଷୀଙ୍କୁ ସ୍ଥାନୀୟ ଉଦ୍ୟାନ ବିଭାଗ ତରଫରୁ ସବୁ କିଛି ସହାୟତା ଯୋଗାଇ ଦିଆଯାଉଥିବାବେଳେ ତାର ବଜାରୀ କରଣ ପାଇଁ କୌଣସି ସୁବିଧା ନଥିବାରୁ ଚାଷୀଙ୍କ ବହୁ ସମସ୍ୟାର ସମୁଖୀନ ହେବାକୁ ପଡୁଛି। ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେଲେ ଅଧିକରୁ ଅଧିକ ହଳଦୀ ଚାଷ ହୋଇ ପାରନ୍ତା ବୋଲି ଚାଷୀ ମାନେ କହିଛନ୍ତି। ଖାଲି ସେତିକି ନୁହେଁ ହଳଦୀ ଚାଷ ଦ୍ୱାରା ବେଶ ଲାଭବାନ ହେଉଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଚାଷ ହୋଇଥିବା ଜଣାପଡିଛି। ବ୍ଲକରେ ଏବେ ୨୩୦ ରୁ ୨୪୦ ଏକର ଚାଷ ଜମିରେ ହଳଦୀ ଚାଷ ହୋଇଥିବା ଉଦ୍ୟାନ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏବେ ବ୍ଲକର ନର୍ସି କାଇପଦର , ଖାଲକଣା, ଓଡି଼ଆପେଣ୍ଠ, କୁଟୀଙ୍ଗା, ବାଲିଙ୍କି, ଧାମଣଗଣ୍ଡା, ପିପଳପଦର, କୁସୁମଗୁଡା, ଡୁମୁରି ପଦର, ନିରାଣୀଗୁଡା, ପଞ୍ଚଡ଼ା କାକିରିଗୁମା ଓ ତୁନପାର ରେ ପ୍ରବଳ ହଳଦୀ ଚାଷ ହୋଇଥିବା ଦେଖିବାକୁ ମିଳିଛି। ଚାଷୀଙ୍କୁ ବଜାରୀକରଣ ସୁବିଧା ଯୋଗାଇ ଦିଆଗଲେ ବେଶ ସୁଫଳ ହୋଇପାରନ୍ତେ ବୋଲି କୁହାଯାଉଛି। ତେବେ ହଳଦୀ ପାଇଁ ମଣ୍ଡି ବ୍ୟବସ୍ଥା କରାଗଲେ ଚାଷୀ ଭଲ ରୋଜଗାର କରିପାରନ୍ତେ। ଅମଳ ହଳଦୀ ବିକ୍ରି ନେଇ ଚାଷୀ ସୁବିଧା ପାଉ ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ ହେଉଛି। ତେବେ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।

