ଜାତୀୟତାଜା ଖବରରାଜ୍ୟ

ବିଳମ୍ବିତ ମୌସୁମୀ ପାଇଁ ଚାଷୀ ହତାଶ

ନୂଆପଡ଼ା: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆସିବାରେ ବିଳମ୍ବ ହେବାରୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ନୂଆପଡା ଏକ କୃଷି ପ୍ରଧାନ ଜିଲ୍ଲା ଏବଂ ଜିଲ୍ଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାରେ ସାଧାରଣତଃ ଜୁନ ମାସର ପ୍ରଥମ ସପ୍ତାହରେ ଖରିଫ ଚାଷ ଆରମ୍ଭ ହୋଇ ଜୁଲାଇରେ କାର୍ଯ୍ୟ ଶେଷ ହୋଇଥାଏ। କିନ୍ତୁ ବିଳମ୍ବିତ ମୌସୁମୀ ଯୋଗୁଁ କିଛି ଚାଷୀ କ୍ଷେତକୁ ହଳ ମଧ୍ୟ କରି ପାରି ନାହିଁ। କିଛି ଅଞ୍ଚଳରେ ଗ୍ରୀଷ୍ମ ଋତୁର ଅଦିନିଆ ବର୍ଷାରେ ଚାଷୀ ଜମିକୁ ପ୍ରସ୍ତୁତ କରି ରଖୁଛନ୍ତି। ଅଧିକାଂଶ ଚାଷୀ ଧାନ ବିହନ ଆଣି ମୌସୁମୀ ବର୍ଷା ଅପେକ୍ଷାରେ ଅଛନ୍ତି । ଜୁନ ମାସ ସରିବାକୁ ବସିଥିବାବେଳେ ବର୍ଷା ନ ହେବାରୁ ଚାଷୀ ଚିନ୍ତାରେ ପଡିଯାଇଛି। କୋମନା ବ୍ଲକର ଅଧିକାଂଶ ପଞ୍ଚାୟତରେ ଜଳସେଚନ ସୁବିଧା ନାହିଁ। ସେମାନେ ଧାନ ବୁଣି ଦଶହରା ପୂର୍ବରୁ ଅମଳ ସାରିଥାନ୍ତି। ଏବେ କିଛି ଦିନ ହେଲା ଆକାଶ ମେଘୁଆ ଦେଖାଯାଉଛି। ହେଲେ ବର୍ଷା ନାହିଁ । ଦିନରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଅତ୍ୟଧିକ ଗରମରେ ଧାନ ଗୁଜୁରିବ କି ନାହିଁ ଚାଷୀ ଆଶଙ୍କାରେ। ଧାନ ନ ଫଳିଲେ ଚାଷୀ ବହୁତ କ୍ଷତି ସହିବ। ଆଗକୁ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବହୁ ବିଳମ୍ବ ହେବା ସହ ବୁଣିଥିବା ଧାନ ଗଜା ମଧ୍ୟ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *