ମଣ୍ଡିରେ ଗଜା ହେଲାଣି ଧାନ, କାନ୍ଦୁଛି ଚାଷୀ
ବରଗଡ଼, ୧୩। ୬(ସ.ପ୍ର):ସରୁନି ଚାଷୀଙ୍କ ଦୁଃଖ। ଋଣ ଆଣି ଏକର ଏକର ଜମିରେ ପରିଶ୍ରମ କରି ଚାଷ କରିଥିବା ଧାନ ବିକ୍ରି ହୋଇପାରୁନି। ଏପରିକି ବର୍ତ୍ତମାନ ଖରିଫ ଋତୁ ଆରମ୍ଭ ହେଉଥିବା େବଳେ ଏ ଯାଏ ମଣ୍ଡିରୁ ରବି ଧାନ ଉଠିବାର ନଁା ଧରୁ ନାହିଁ। ଫଳରେ ମଣ୍ଡି ଆଗରେ କ୍ବିଣ୍ଟାଲ କ୍ବିଣ୍ଟାଲ ରବି ଧାନ ପଡ଼ି ରହିଛି। ଭୋକ ଉପାସରେ ଡହ ଡହ ଖରାରେ ଏହି ଧାନକୁ ଜଗି ରହିଛି ଚାଷୀ। ସେପଟେ ବିଭିନ୍ନ ଜିଲ୍ଲାରେ ହେଉଥିବା କାଳବୈଶାଖୀ ପ୍ରଭାବରେ ମଣ୍ଡିରେ ପଡ଼ି ରହିଥିବା ବସ୍ତା ବସ୍ତା ଧାନ ବର୍ଷାରେ ଭିଜୁଛି ତ ଅାଉ କେଉଁଠି ଧାନ ଗଜା ହେବାକୁ ବସିଲାଣି। ଏହାକୁ େନଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଚାଷୀମାନେ କିପରି ଋଣ ପରିଶୋଧ କରିବେ ସେ େନଇ ଚିନ୍ତାରେ ରହୁଥିବା େବଳେ ଅନେକ ଚାଷୀ ଅାତ୍ମହତ୍ୟା ପନ୍ଥା ଆପଣାଉଥିବା ନଜିର ରହିଛି। ଇଏ କେବଳ ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ। ରାଜ୍ୟର ଏକାଧିକ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ବିଶେଷ କରି ବରଗଡ଼, ସୁୁବର୍ଣ୍ଣପୁର, ପଦ୍ମପୁରରେ। ଏହି ଜିଲ୍ଲାର ବିଭିନ୍ନ ମଣ୍ଡି ଆଗରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ପଡ଼ି ରହି ଥିଲେ ମଧ୍ୟ ମିଲରମାନେ ମନମାନି କରି ଧାନ ଉଠାଉ ନଥିବା ଅଭିଯୋଗ ହୋଇଛି। ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେଉଁଠି ଅସୁବିଧା ହେଉଛି ତା’ର ସମାଧାନ କରାଯାଉଛି।

