ଭର୍ଜିନିଆରେ ୬ କାର୍କୁ ଧକ୍କାଦେଲା ବସ୍: ୫ ମୃତ, ୪୪ ଆହତ
ଭର୍ଜିନିଆ, ୩୦|୫: ଆମେରିକାର ଭର୍ଜିନିଆ ରାଜ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନିର୍ମାଣ ଅଞ୍ଚଳରେ ଦ୍ରୁତଗାମୀ ବସ୍ ୬ କାର୍କୁ ଧକ୍କା ଦେଇଛି। ଧକ୍କା ପରେ, ବସ୍ଟି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ି ଓଲଟି ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣା ଆମେରିକାର ଭର୍ଜିନିଆର ଇଣ୍ଟରଷ୍ଟେଟ୍ ୯୫ ରେ ଘଟିଛି। ଷ୍ଟାଫୋର୍ଡ କାଉଣ୍ଟିର କ୍ୱାଣ୍ଟିକୋ ନିକଟରେ ନିର୍ମାଣ କାର୍ଯ୍ୟ ଯୋଗୁଁ ଟ୍ରାଫିକ୍ ମନ୍ଥର ହୋଇଥିଲା। ତେବେ ବସ୍ଟି ଗତି କମ୍ କରିପାରି ନଥିଲା। ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଗୋଟିଏ ପରେ ଗୋଟିଏ ଛଅଟି ଯାନକୁ ଧକ୍କା ଦେଇଥିଲେ।

