ମାଲ ବୋଝେଇ କଣ୍ଟେନର ଚାପାରେ ୨ ମୃତ
ଭବାନୀପାଟଣା, ୧୦|୬: କଳାହାଣ୍ଡି -ଜାତୀୟ ରାଜପଥ ୨୬ କେସିଙ୍ଗା ବ୍ଲକ ଖଜୁରୀପଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି l ଏଥିରେ ୨ ଜଣ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମଣ୍ଡିରୁ ଧାନ ଉଠାଇ ମିଲକୁ ଆଣିବାବେଳେ ଏହି ଦୁର୍ଘଟଣା ହୋଇଛି। କଳାହାଣ୍ଡି ଜିଲ୍ଲା ହରାମାଲ୍ ଗ୍ରାମରୁ ଧାନ ଆଣି ଖଜୁରପଡ଼ା ଗ୍ରାମର ଅରିହନ୍ତ ରାଇସ ମିଲକୁ ଧାନ ଖାଲି କରିବାକୁ ଆସିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରିଥିବାବେଳେ ଟ୍ରକକୁ ଜବତ କରିଛି ପୋଲିସ୍। ସୂଚନା ମୁତାବକ ଆଜି ପାହାନ୍ତିଆ ୩ ଟା ସମୟରେ ୩ ଟି ଟ୍ରକ୍ କଳାହାଣ୍ଡି ଜିଲ୍ଲା ହରାମାଲ୍ ଗ୍ରାମରୁ ଧାନ ଆଣି ଖଜୁରପଡ଼ା ଗ୍ରାମର ଅରିହନ୍ତ ରାଇସ ମିଲକୁ ଧାନ ଖାଲି କରିବାକୁ ଆସିଥିଲେ । ଭୋର୍ ସମୟ ଥିବାରୁ ଦୁଇ ଟ୍ରକ୍ ର ଦୁଇଜଣ ଡ଼୍ରାଇଭର ଶୌଚ ପାଇଁ ନିଜ ଟ୍ରକ୍ ର କଡ଼ରେ ଛିଡ଼ା ହୋଇଥିବା ବେଳେ ଭବାନୀପାଟଣାରୁ କେସିଙ୍ଗା ପଟେ ଯାଉଥିବା ଏକ ମାଲ୍ ବୋଝେଇ କଣ୍ଟେନର ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଥିବା ୩ ଟି ଟ୍ରକ୍ କୁ ଜୋର୍ ରେ ଧକ୍କା ଦେଇଥିଲା ଏବଂ ୨ ଟ୍ରକ୍ ଡ୍ରାଇଭର ଙ୍କୁ ପ୍ରାୟ ୫୦ ଫୁଟ୍ ଘୋଷାଡି ନେଇଥିଲା । ଫଳରେ ଘଟଣା ସ୍ଥଳରେ ସେହି ଦୁଇ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,କଣ୍ଟେନରଟି ଏମିତି ଭାବେ ଦୁଇ ଡ଼୍ରାଇଭରଙ୍କୁ ଘୋଷାଡି ନେଇଥିଲା ଯେ , ସେମାନଙ୍କୁ ଚିହ୍ନଟ କରିବା ବି ସମ୍ଭବ ପର ହୋଇପାରୁନାହିଁ । ଦୁର୍ଘଟଣା ବିଷୟରେ ଜାଣିପାରି କେସିଙ୍ଗା ପୋଲିସ ତୁରନ୍ତ ଆସି ମୃତ୍ୟୁ ହୋଇଥିବା ଦୁଇ ଡ଼୍ରାଇଭରଙ୍କ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ପୋଲିସ ତାକୁ ଠାବ କରି ବର୍ତ୍ତମାନ କାବୁ କରିଥିବା ସୂଚନା ମିଳିଛି ।

