ଜାତୀୟତାଜା ଖବର

ରାମ ମନ୍ଦିର ଦାନ ଚୋରି ମାମଲା,ଚମ୍ପତ ରାୟଙ୍କ ଗୁପ୍ତ ବୟାନ ଲିକ୍ ଖୁବଶୀଘ୍ର ଟ୍ରଷ୍ଟ ପୁନର୍ଗଠନ

ଅଯୋଧ୍ୟା- ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଚୋରି ମାମଲା ସମ୍ପର୍କରେ ଚମ୍ପତ ରାୟଙ୍କ ଦ୍ୱାରା SIT କୁ ଦିଆଯାଇଥିବା ଗୁପ୍ତ ବୟାନର ଏକ ଅଂଶ ଲିକ ହୋଇଯାଇଛି। ଲିକ୍ ହୋଇଥିବା ବୟାନ ଅନୁଯାୟୀ, ଦାନ ଅର୍ଥ ଗଣନା ଏବଂ ବ୍ୟାଙ୍କ ଜମା ପ୍ରକ୍ରିୟାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ଚମ୍ପତ ରାୟ ଦର୍ଶାଇଛନ୍ତି।

ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଗୁପ୍ତ ବୟାନ SIT (Special Investigation Team) ନିକଟରୁ ଲିକ୍ ହେବା ପରେ ଅଯୋଧ୍ୟାରେ ହଇଚଇ ସୃଷ୍ଟି ହୋଇଛି । ଚମ୍ପତ ରାୟ ଏସ୍ଆଇଟିକୁ କହିଛନ୍ତି ଯେ, ଦାନପାତ୍ରରୁ ବାହାରୁଥିବା ଅର୍ଥ ଗଣନା, ସୁରକ୍ଷା ବ୍ୟବସ୍ଥା ଏବଂ ବ୍ୟାଙ୍କ ସହ ହୋଇଥିବା ବୁଝାମଣା (MoU) ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କ ଡକ୍ୟୁମେଣ୍ଟରେ ତାଙ୍କର କୌଣସି ଦସ୍ତଖତ ବି ନାହିଁ । ଚମ୍ପତ ରାୟଙ୍କ ଏହି ବୟାନ ପରେ ଏବେ ସିଧା ଅନିଲ ମିଶ୍ରଙ୍କ ଉପରକୁ ଅଙ୍ଗୁଳି ଉଠୁଛି ।  ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଅନିଲ ମିଶ୍ରଙ୍କ ଭୂମିକା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। SIT ର ପ୍ରାଥମିକ ରିପୋର୍ଟ ଅନୁଯାୟୀ ଅନିଲ ମିଶ୍ରଙ୍କ କାର୍ଯ୍ୟଶୈଳୀ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦାନ ଅର୍ଥ ଚୋରି ଏବଂ ଅନିୟମିତତାକୁ ନେଇ ବିବାଦ ବଢ଼ିବା ପରେ, ଟ୍ରଷ୍ଟ ପକ୍ଷରୁ ଚମ୍ପତ ରାୟ ଏବଂ ଅନିଲ ମିଶ୍ର ଇସ୍ତଫା ଦେଇଥିଲେ। ଅନ୍ୟପଟେ ନିଜ ନାଁରେ ଆସୁଥିବା ଅଭିଯୋଗକୁ ଖଣ୍ଡନ କରି ଚମ୍ପତ ରାୟ କହିଛନ୍ତି ଯେ, ଏସ୍ଆଇଟିର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ସେ ସବୁ ପ୍ରଶ୍ନର ପୁଙ୍ଖାନୁପୁଙ୍ଖ ଉତ୍ତର ଦେବେ । ସୂଚନାଯୋଗ୍ୟ ଯେ, ଏସ୍ଆଇଟିର ତଦନ୍ତରୁ ଜଣାପଡିଛି, ଏପ୍ରିଲ ୨୭ ରୁ ଜୁନ୍ ୫ ମଧ୍ୟରେ କର୍ମଚାରୀମାନେ ଟଙ୍କା ଚୋରି କରୁଥିବାର ୭୦ରୁ ଅଧିକ ଥର ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି ।

ଅନ୍ୟପକ୍ଷରେ ଖୁବଶୀଘ୍ର ଟ୍ରଷ୍ଟ ପୁନର୍ଗଠନ ହେବାକୁ ଥିବାବେଳେ ଏହାର ପ୍ରଶାସନିକ ଗଠନରେ ମଧ୍ୟ ପରିବର୍ତ୍ତନ ଆରମ୍ଭ କରିଛି। ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। ଜୁଲାଇ ୨୨ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଟ୍ରଷ୍ଟ ବୈଠକରେ ଟ୍ରଷ୍ଟର ପୁନର୍ଗଠନ ଉପରେ ଆଲୋଚନା ହେବ ଏବଂ ନୂତନ ସିଇଓ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ନୂତନ କାର୍ଯ୍ୟନିର୍ବାହୀ ମହାସଚିବ ଭାବରେ କୃଷ୍ଣ ମୋହନଙ୍କୁ ନିଯୁକ୍ତି ଦିଆଯିବ ବୋଲି ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *