ସୌମ୍ୟ ହତ୍ୟା ମାମଲାରେ ଗଙ୍ଗୱାରଙ୍କୁ ଜେରା ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍
ଭୁବନେଶ୍ବର, ୫|୬(ବ୍ୟୁରୋ): ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଜାତୀୟ ମାନବିକ ଅଧିକାର ଆୟୋଗ ତନାଘନା ସାରି ଦିଲ୍ଲୀ ଫେରିଛନ୍ତି। ଶେଷ ଦିନରେ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ଏନଏଚଆରସି ପକ୍ଷରୁ ଜେରା କରାଯାଇଛି। କନଷ୍ଟେବଳ ସୌମ୍ୟଙ୍କୁ ଗଙ୍ଗୱାର ବ୍ୟକ୍ତିଗତ କାମରେ ନିୟୋଜିତ କରିଥିବା ଅଭିଯୋଗ ହୋଇଥିବାବେଳେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା। ସୌମ୍ୟରଞ୍ଜନ ଭିଡ଼ହିଂସାର ଶିକାର ହୋଇଥିବାବେଳେ ଏନେଇ ଗୁଡ଼େଇ ତୁଡ଼େଇ ଗଙ୍ଗୱାରଙ୍କୁ ପ୍ରଶ୍ନ କରିଛନ୍ତି ଜାତୀୟ ମାନବାଧିକାର କମିଶନ। ଏହି ଘଟଣାକୁ ନେଇ ପୂର୍ବରୁ ଏଡିଜିଙ୍କ କ୍ୱାର୍ଟର୍ସରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀଙ୍କୁ ଏନ୍ଏଚ୍ଆର୍ ଟିମ୍ ପଚରାଉଚରା କରି ସାରିଛନ୍ତି। ଏଥିସହିତ ଏଡିଜିଙ୍କ ଡ୍ରାଇଭର ଓ ପିଏସଓଙ୍କୁ ପଚରାଉଚରା କରିସାରିଛି ଏନ୍ଏଚ୍ଆର୍ ଟିମ୍। ଏହାସହ ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ରାଉତ, ବାନ୍ଧିବୀ, ୨ ଅଭିଯୋଗକାରୀ ଯୁବତୀ, କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଏଲ.ଡି ବିହେରାଙ୍କ ସହ ୩ ଡାକ୍ତର, ମିନି ଟ୍ରକ ଚାଳକ ସଫିଉଲ୍ଲା ଖାଁ, ଅଡ଼ଶପୁର ସିଏଚସିର ଆମ୍ବୁଲାନ୍ସ ଡ୍ରାଇଭର ସୁଜ୍ଞାନ ମଲ୍ଲିକ, ପୂର୍ବତନ ବାଲିଅନ୍ତା ଥାନା ଅଧିକାରୀ ଅନୀଲ ପରିଡା ଏବଂ ଜଣେ କନେଷ୍ଟବଲ ହାଜର ହୋଇଥିଲେ । ତେବେ ତଦନ୍ତ ସାରି ଏନଏଚଆରସି ଟିମ ଦିଲ୍ଲୀ ଫେରିଥିବା ସୂଚନା ମିଳିଛି। ଏହି ଘଟଣାରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ମାମଲାକୁ ଗୁରୁତର ସହ ନେଇଥିବାବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜାତୀୟ ମାନବାଧିକାର ଟିମ୍।

