ଜଳୁଛି ଜଙ୍ଗଲ : ଉତ୍ତରାଖଣ୍ଡର ୧୪ ହେକ୍ଟର ଜଙ୍ଗଲ ନଷ୍ଟ
ଡେରାଡୁନ,୨୪|୫: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ବନ ବିଭାଗ ପକ୍ଷରୁ ଗୋଟିଏ ପଟେ ଲିଭାଇବା ବେଳେ ଅନ୍ୟ ପଟେ ନିଆଁ ଲାଗୁଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଦେବଭୂମି ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି। ଶନିବାର ସନ୍ଧ୍ୟାରେ, ତେହରି ଜିଲ୍ଲାର ଜଙ୍ଗଲରେ ଲାଗିଥିବା ନିଆଁ ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗକୁ ଚିନ୍ତିତ କରିଦେଇଛି। ଉତ୍ତରାଖଣ୍ଡର ଜିଲ୍ଲା ମୁଖ୍ୟାଳୟ ସଂଲଗ୍ନ ବୁଡୋଗି ଗାଁ ନିକଟରେ ଏହି ନିଆଁ ଲାଗିଛି। ତେହରିର ଡିଭିଜନାଲ ଫରେଷ୍ଟ ଅଫିସର ପୁନିତ ତୋମାର କହିଛନ୍ତି ଯେ, ସୂଚନା ପାଇବା ପରେ, ବିଭାଗର ଦଳ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇଥିଲେ। ଅଧିକାରୀଙ୍କ ଅନୁଯାୟୀ, ପ୍ରଥମେ ନିଆଁକୁ ନିୟନ୍ତ୍ରଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଜଙ୍ଗଲ ନିଆଁ ଜନବସତି ଅଞ୍ଚଳରେ ଯେପରି ନ ବ୍ୟାପିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବନ ବିଭାଗ ଆକଳନ କରିଛି ଯେ ଏହି ବିଶାଳ ଅଗ୍ନିକାଣ୍ଡରେ ପ୍ରାୟ ଚଉଦ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି। ଗତ କିଛି ଦିନ ଧରି ଉତ୍ତରାଖଣ୍ଡରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଜଙ୍ଗଲ ନିଆଁ ଆହୁରି ଭୟଙ୍କର ହେବାରେ ଲାଗିଛି ।

