ମନରେଗା ମହାଘୋଟାଲା… ୫୦ କୋଟି ଠକେଇ, ପୋଷ୍ଟମାଷ୍ଟର ନିଲମ୍ବିତ କୋଡ଼ିଙ୍ଗା ଓ ଡାବୁଗାଁ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ ତଦନ୍ତ
କୋରାପୁଟ.୨୯.୦୫(ସପ୍ର): ପୋଷ୍ଟ ଅଫିସରେ ୫୦ କୋଟି ଟଙ୍କା ଠକେଇ ଅଭିଯୋଗରେ ପୋଷ୍ଟମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ସରକାରୀ ଯୋଜନାର ଡିବିଟି ପାଣ୍ଠିର ଆତ୍ମସାତ ଅଭିଯୋଗ ହୋଇଥିଲା। ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ ଡାକଘରରେ ମନରେଗା ହିତାଧିକାରୀଙ୍କ ଟଙ୍କା ହଡ଼ପ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଘଟଣାରେ ପୋଷ୍ଟାଲ ବିଭାଗ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଝରିଗାଁ ତତକାଳୀନ ସବ୍ ପୋଷ୍ଟମାଷ୍ଟର ଗୌରାଙ୍ଗ ସରକାରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସେ ଏବେ ବୈପାରୀଗୁଡ଼ା ପୋଷ୍ଟ ଅଫିସରେ କାମ କରୁଛନ୍ତି । ପ୍ରାୟ ୫୦ କୋଟି ଟଙ୍କାରୁ ଅଧିକ ମନରେଗା ମଜୁରୀ ଟଙ୍କା ବିଭିନ୍ନ ଡାକଘର ମାଧ୍ୟମରେ ଚଂଚକତା କରି ହଡ଼ପ ହୋଇଥିବା ନେଇ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଗୁରୁତର ଅଭିଯୋଗ ଉଠାଇଥିଲେ। ଡାବୁଗାଁ ଓ କାଡ଼ିଙ୍ଗା ପୋଷ୍ଟମାଷ୍ଟରଙ୍କ ବିରୋଧରେ ତଦନ୍ତ ଚାଲିଛି। ଡାବୁଗାଁ, ଝରିଗାଁ, କୋଡ଼ିଙ୍ଗା ସମେତ ବିଭିନ୍ନ ସବ୍ ପୋଷ୍ଟ ଅଫିସରେ ଗରିବ ହିତାଧିକାରୀଙ୍କ ଖାତାରୁ କେୱାଇସି ପରିବର୍ତ୍ତନ ଓ ମିଥ୍ୟା ଅଙ୍ଗୁଠି ଛାପ ବ୍ୟବହାର କରି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ସାମ୍ନାକୁ ଆସିବା ପରେ ପୋଷ୍ଟାଲ ବିଭାଗ ପକ୍ଷରୁ ତତକାଳୀନ ଝରିଗାଁ ସବ୍ ପୋଷ୍ଟମାଷ୍ଟରଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟାନ୍ୟ ଡାକଘରରେ ମଧ୍ୟ ଏଭଳି ଅନିୟମିତତା ଘଟିଥିବା ନେଇ ତଦନ୍ତ ଦାବି ଜୋର ଧରିଛି। ଗରିବ ଶ୍ରମିକଙ୍କ ମଜୁରୀ ଟଙ୍କା ହଡ଼ପ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଏହି ମାମଲାରେ ଆଗକୁ ଆଉ କେଉଁମାନଙ୍କ ନାଁ ସାମ୍ନାକୁ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

