ୟୁପିରେ ପୃଥକ ଦୁର୍ଘଟଣା, ୧୦ ମୃତ
ଉନ୍ନାଓ, ୨୫|୫: ଉତ୍ତରପ୍ରଦେଶର ପୃଥକ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବାବେଳେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଔରସ ଅଞ୍ଚଳରେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏକ ଦ୍ରୁତଗାମୀ ସ୍ଲିପର ବସ୍ ଓଲଟି ପଡ଼ିଛି। ଦୁର୍ଘଟଣାରେ ବିହାରର ଜଣେ ପୋଲିସ ଅଧିକାରୀ ଏବଂ ଜଣେ କଏଦୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩୨ ଜଣ ଆହତ ହୋଇଛନ୍ତି। ବସ୍ଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାତ୍ରା କରୁଥିଲା। ମୃତ ଅଧିକାରୀ ରାମଚନ୍ଦ୍ର ବିହାରର ସିୱାନରୁ ଜଣେ କଏଦୀ ଛତ୍ରପାଲଙ୍କୁ ଦିଲ୍ଲୀ ନେଇ ଯାଇଥିଲେ। ସେ ତାଙ୍କ ବୟାନ ରେକର୍ଡ କରି ବିହାର ଫେରୁଥିଲେ। ଅନ୍ୟପଟେ ଉତ୍ତର ପ୍ରଦେଶର ବାରବାଙ୍କିରେ ଲକ୍ଷ୍ନୌ-ସୁଲତାନପୁର ରାଜପଥରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ହାଇଦରଗଡ଼ ଅଞ୍ଚଳରେ ରାଜପଥରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଏକ ଦ୍ରୁତଗାମୀ ଇନୋଭା କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌର ଏକ ହସ୍ପିଟାଲକୁ ପଠାଯାଇଛି। ସମସ୍ତେ ବାରାଣସୀରୁ କୈଞ୍ଚି ଧାମ ଯାତ୍ରା କରୁଥିଲେ। ସମସ୍ତ ମୃତକ ଏବଂ ଆହତ ଗାଜିପୁରର ବାସିନ୍ଦା।ମୃତକଙ୍କ ମଧ୍ୟରେ ଇନୋଭାରେ ଥିବା ରାହୁଲ, ରାହୁଲ କୁମାର, ସତ୍ୟମ ଏବଂ ଟ୍ରକ୍ ଡ୍ରାଇଭର ସୂରଜ ଯାଦବ ଅଛନ୍ତି। ଚନ୍ଦନ ସିଂହ, ପଙ୍କଜ ଏବଂ ପ୍ରଶାନ୍ତ ଗୁରୁତର ଆହତ ହୋଇଛନ୍ତି। ସୋମବାର ରାତି ପ୍ରାୟ ୩ଟାରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ପରେ ସମସ୍ତ ଆହତଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ପଠାଇ ଦେଇଛି। ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

