ମଳମାସ କ’ଣ ?
ସର୍ବେଷାମ୍ ସର୍ବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ।
ସର୍ବେଷାମ୍ ସର୍ବ ଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ।
ସମସ୍ତ ତୀର୍ଥ କ୍ଷେତ୍ର ମାନଙ୍କରେ ପୁରୁଷୋତ୍ତମ କ୍ଷେତ୍ର ଏବଂ ସମସ୍ତ ଦେବତା ମାନଙ୍କ ମଧ୍ୟରେ ପୁରୁଷୋତ୍ତମ ଅର୍ଥାତ୍ ବିଷ୍ଣୁ ହେଉଛନ୍ତି ରାଜା। ଭଗବାନ ବିଷ୍ଣୁ ବର୍ଷକ ବାର ମାସରେ ବାର ଗୋଟି ନାମରେ ପୂଜା ପାଆନ୍ତି। ବୈଶାଖରେ ମଧୁସୂଦନ, ଜ୍ୟେଷ୍ଠ ରେ ତ୍ରିବିକ୍ରମ, ଆଷାଢ଼ ରେ ବାମନ, ଶ୍ରାବଣରେ ଶ୍ରୀଧର, ଭାଦ୍ରବରେ ହୃଷୀକେଶ, ଆଶ୍ୱିନ ରେ ପଦ୍ମନାଭ, କାର୍ତ୍ତିକରେ ଦାମୋଦର, ମାର୍ଗଶିର ରେ କେଶବ, ପୌଷରେ ନାରାୟଣ, ମାଘରେ ମାଧବ, ଫାଲଗୁନ ରେ ଗୋବିନ୍ଦ, ଚୈତ୍ର ରେ ମହାବିଷ୍ଣୁ ନାମରେ ପୂଜା ପାଇଥାନ୍ତି। କିନ୍ତୁ ଯେଉଁବର୍ଷ ଯୋଡା ମାସ ବା ମଳମାସ ପଡେ, ସେଇ ବର୍ଷ ମହାପ୍ରଭୁ ପୁରୁଷୋତ୍ତମ ନାମରେ ପୂଜିତ ହୁଅନ୍ତି। ତେଣୁ ଏହାକୁ ପୁରୁଷୋତ୍ତମ ମାସ ବୋଲି ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମ ଅନୁସାରେ ବର୍ଷକୁ ସୌରମାନ ମାସ ଓ ଚନ୍ଦ୍ରମାନ ମାସ ଏପରି ଦୁଇ ଭାଗରେ ବିଭକ୍ତ କରାଯାଇଛି। ବର୍ଷକ ବାରଗୋଟି ସଂକ୍ରାନ୍ତି କୁ ନେଇ ସୂର୍ଯ୍ୟଙ୍କ ଅବସ୍ଥାନ କୁ ଆଧାରିତ କରି ସୌରମାନ ମାସ ଓ ଅମାବାସ୍ୟା, ପୂର୍ଣ୍ଣିମା ଆଦି ତିଥି ମାନ ଏବଂ ଚନ୍ଦ୍ରଙ୍କ ଗତିବିଧି କୁ ନେଇ ଗଣନା କରାଯାଉଥିବା ମାସକୁ ଚାନ୍ଦ୍ରମାନ ମାସ କୁହାଯାଏ। ଉଭୟ ସୌରମାନ ମାସ ଓ ଚାନ୍ଦ୍ରମାନ ମାସ ମଧ୍ୟରେ ସମତା ରକ୍ଷା କରିବା ପାଇଁ ପ୍ରତି ୩୨ ମାସରେ ଏକ ମଳମାସ ପଡେ। ସୌରମାନ ବର୍ଷର ଦିନସଂଖ୍ୟା ୩୬୫ ଦିନ ୬ ଘଣ୍ଟା ହୋଇଥିଲା ବେଳେ ଚନ୍ଦ୍ରମାନ ବର୍ଷର ଦିନ ସଂଖ୍ୟା ୩୫୪ ଦିନ ହୋଇଥାଏ। ଏଣୁ ସୌରମାନ ବର୍ଷ ଅପେକ୍ଷା ଚନ୍ଦ୍ରମାନ ବର୍ଷ ୧୧ ଦିନ ୬ ଘଣ୍ଟା କମ୍ ହୋଇଥାଏ। ଏହି ଅଳ୍ପ ଦିନର ଦୂରତାରେ ସାମ୍ୟତା ଆଣିବା ପାଇଁ ପ୍ରତି ଅଢେ଼ଇ ବର୍ଷରେ ଅର୍ଥାତ୍ ୩୨ ମାସରେ ଗୋଟିଏ ଅଧିକା ମାସ ଗଣନା କରାଯାଏ। ମଳମାସ ସଂକ୍ରାନ୍ତି ବିହୀନ ହୋଇଥିବାରୁ ସେହିମାସର ଅଧିପତି କୌଣସି ଆଦିତ୍ୟ ନ ହୋଇ ତାହା ବିଷ୍ଣୁଙ୍କୁ ଉତ୍ସର୍ଗୀକୃତ ହୋଇଛି। ମଳମାସ ରେ ବିବାହ, ବ୍ରତାଦି ମାଙ୍ଗଳିକ କାର୍ଯ୍ୟ କରାଯାଇ ନ ଥାଏ। କିନ୍ତୁ ଏହି ମାସରେ ଦାନ, ହୋମ, ସ୍ନାନ, ଜପ, ତପ, ଶାସ୍ତ୍ରାଦି ପଠନ ଆଦି ପାରାୟଣ କରାଯାଇ ଥାଏ। ପୁରୁଷୋତ୍ତମ ମାସରେ ପୁଣ୍ୟ ଅର୍ଜନ କରିବା ପାଇଁ ଦାନ କରାଯାଏ। ଅନ୍ନ, ବସ୍ତ୍ର, ଛତ୍ର, ଶଯ୍ୟା, ଗୋ, ତିଳ, ହିରଣ୍ୟ, ଧର୍ମ ପୁସ୍ତକ, ବିଷ୍ଣୁ ପ୍ରତିମା, ଶାଳଗ୍ରାମ ଆଦି ଦାନ କରାଯାଏ। ପୁରୁଷୋତ୍ତମ ମାସର ଦ୍ୱାଦଶୀ, ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣ୍ଣିମା ଆଦି ତିଥି ଦାନ ପାଇଁ ସର୍ବୋତ୍କୃଷ୍ଟ। ଆଷାଢ଼ ମାସ ରେ ମଳମାସ ପଡ଼ିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଅନୁଷ୍ଠିତ ହୁଏ। ବିଶ୍ୱାସ ଅଛି ଯେ ଜଣେ ବ୍ୟକ୍ତି ୧୦୦ ବର୍ଷ ଜପ କଲେ ଯେତିକି ଫଳ ପ୍ରାପ୍ତ ହୁଏ, ଗୋଟିଏ ମଳ ମାସରେ ଜପ କଲେ ତା ଠାରୁ ଅଧିକ ଫଳ ପ୍ରାପ୍ତ ହୁଏ। ମଳମାସ ବିଷ୍ଣୁଙ୍କୁ ସମର୍ପିତ ହୋଇଥିବାରୁ ଏହି ମାସରେ ଆମିଷ ଭକ୍ଷଣ ବର୍ଜନ କରିବା ଉଚିତ୍। ଶୁଦ୍ଧ ଶାକାହାରୀ ଭୋଜନ ସହ ନିୟମିତ ଭାଗବତ ପାଠ, ଶିବ ପୁରାଣ, ବିଷ୍ଣୁ ସହସ୍ରନାମ ପଠନ କଲେ ସକାରାତ୍ମକ ଉର୍ଜା ର ସଞ୍ଚରଣ ହେବା ସହ ପୁଣ୍ୟ ଅର୍ଜନ ହୋଇଥାଏ। ମଳମାସ ବିଷ୍ଣୁ ଙ୍କର ପ୍ରିୟମାସ ହେତୁ ବିଷ୍ଣୁ ପୂଜା, ସ୍ମରଣ, କୀର୍ତ୍ତନ କରିବା ବିଧେୟ। ବୃହତ୍ ଜ୍ୟୋତିସାର ରେ କୁହାଯାଇଛି –
ଅମାବାସ୍ୟା ଦ୍ୱୟଂ ଯତ୍ର ରବି ସଂକ୍ରାନ୍ତି ବର୍ଜୟେତ୍
ମଳମାସ ସ ବିଜ୍ଞେୟୋ ବିଷ୍ଣୁ ସ୍ୱପିତି କର୍କଟେ।
ଅର୍ଥାତ୍ ଯେତେବେଳେ ଦୁଇଟି ଅମାବାସ୍ୟା ମଧ୍ୟରେ ସଂକ୍ରାନ୍ତି ଆସେନାହିଁ। ତାକୁ ମଳମାସ କୁହାଯାଏ। ଏହି ମାସରେ କୌଣସି ଶୁଭକର୍ମ କରାଯାଇ ନ ଥାଏ।
ବୈଷ୍ଣବ ଚରଣ ଦାଶ
ଗଞ୍ଜାମ,୯୭୭୬୫୩୪୯୩୦

