ମଣିପୁର କାଙ୍ଗପୋକପିରେ ସଂଘର୍ଷ , ମହିଳାଙ୍କ ସମେତ ୩ ମୃତ
ଇମ୍ଫାଲ/କାଙ୍ଗପୋକପି: ଦିନ ଦିନକୁ ଅଶାନ୍ତ ହୋଇପଡ଼ୁଛି ମଣିପୁର। ବର୍ଷ ବର୍ଷ ଧରି ଏଠାରେ ହିଂସା ଜନକ ସ୍ଥିତି ଥିବାବେଳେ କାହାର ତିଳେ ମାତ୍ର ଖାତିର ନାହିଁ। ନେତା, ରାଜନେତାଙ୍କ ବଡ଼ ବଡ଼ ଭାଷଣ ଯେମିତି ଏଠାରେ ପାଣିଫୋଟକା ପାଲଟିଛି। କ୍ରମାଗତ ଜାତିଗତ ହିଂସା ମଧ୍ୟରେ ଗତି କରୁଛି ମଣିପୁରର କାଙ୍ଗପୋକପି ଜିଲ୍ଲା। ଶୁକ୍ରବାର ଭୋର ସମୟରେ ପୁଣି ଥରେ ଭୟାବହ ରକ୍ତପାତ ଦେଖିବାକୁ ମିଳିଛି। ନ୍ୟୁ କେଥେଲମାନବି ଅଞ୍ଚଳ ଅଧୀନରେ ଥିବା ଲୋଇବୋଲ୍ ଗ୍ରାମ ଉପରେ କିଛି ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀ ଅତି ନିର୍ମମ ଭାବେ ପ୍ରାଣଘାତୀ ଆକ୍ରମଣ କରିବା ଯୋଗୁଁ ୩ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଘର ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟ ସୂତ୍ର ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୪ଟା ୧୦ ମିନିଟ୍ ସମୟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଦୁର୍ବୃତ୍ତମାନେ ଗ୍ରାମକୁ ଘେରିଯାଇ ଆଖିବୁଜା ଗୁଳିଚାଳନା କରିଥିଲେ, ଯାହାଫଳରେ ଶୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ପ୍ରାଣବିକଳରେ ଆତଙ୍କ ଖେଳିଯାଇଥିଲା। ଗୁଳିମାଡ଼ କରିବା ସହିତ ଆକ୍ରମଣକାରୀମାନେ ଗ୍ରାମର ଅନେକ ଘରକୁ ନିଆଁ ଲଗାଇ ବ୍ୟାପକ ସମ୍ପତ୍ତି ନଷ୍ଟ କରିଛନ୍ତି। ସଶସ୍ତ୍ର ଉଗ୍ରବାଦୀଙ୍କ ଏହି ବର୍ବର ଆକ୍ରମଣରେ ପ୍ରାଣ ହରାଇଥିବା ୩ ଜଣ ପୀଡ଼ିତଙ୍କୁ ଲେଟଖୋଙ୍ଗାମ ହାଓକିପ୍, ଟିନମାରୀ ହାଓକିପ୍ ଏବଂ ଜାଙ୍ଗମିନଲାଲ୍ ହାଓକିପ୍ ଭାବେ ଚିହ୍ନଟ କରାଯାଇଛି।

