ସାଙ୍ଗକୁ ଚାରିକାନ୍ଧ ଦେଲେ ସହପାଠୀ
ପୁରୀ: ସାଙ୍ଗକୁ ଚାରିକାନ୍ଧ ଦେଲେ ସହପାଠୀ । ଲୋକବଳ ନ ଥିବାରୁ ସାଙ୍ଗକୁ ସ୍ୱର୍ଗଦ୍ୱାର ନେବା ସହ ମୁଖାଗ୍ନି ଦେଇଛନ୍ତି ସାଙ୍ଗ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ । ମୃତା ଛାତ୍ରୀ ହେଲେ ସଂଗ୍ରାମୀକା ପଣ୍ଡା । ପୁରୀ ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଭଡ଼ାରେ ନିଜ ମାଙ୍କ ସହ ରହୁଥିଲେ ସଂଗ୍ରାମୀକା। ତେବେ ରାତି ସାରା ଅନିଦ୍ରା ହୋଇ ପ୍ରାଟିକାଲ ରେକର୍ଡ୍ ପ୍ରସ୍ତୁତ କରିଥିଲେ । ସକାଳ ଜଳଖିଆ ଖାଇ ନିଜ ରୁମ୍ରେ ଶୋଇଥିଲେ । ମଧ୍ୟାହ୍ନଭୋଜନ ଖାଇବାକୁ ମା, ବାପା ଡାକିଥିଲେ । ହେଲେ ଆଉ ଉଠିନଥିଲା ଝିଅ । ଦେହ ଅସୁସ୍ଥ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏକମାତ୍ର ସନ୍ତାନକୁ ହରାଇ ମା’, ବାପା ଓ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ମୃତ୍ୟୁରେ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ସହପାଠୀମାନେ ମଧ୍ୟ ଜମା ହୋଇଥିଲେ । ଚାରିକାନ୍ଧ ଦେବାକୁ ପରିଜନ ସଂଖ୍ୟା ନଥିବାରୁ ସହପାଠୀମାନେ କୋକେଇ ସଜାଡ଼ି ଚାରିକାନ୍ଧ ଦେଇଥିଲେ ସାଙ୍ଗମାନେ । ସଦର ମୁଖ୍ୟ ଚିକିତ୍ସାଳୟରୁ ସ୍ବର୍ଗଦ୍ଵାରକୁ ଶବକୁ ନେଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ ।

