ଆନ୍ତର୍ଜାତୀୟଜାତୀୟତାଜା ଖବରରାଜ୍ୟ

ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି ୨୦୧୪ ମେ ୨୬ରେ ପ୍ରଥମ ଥର ନେଇଥିଲେ ଶପଥ | ଦେଶର ବିକାଶରେ ରହିଛି ଅନେକ ଅବଦାନ

ନୂଆଦିଲ୍ଲୀ, ୨୬|୫: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ସଫଳତମ କାର୍ଯ୍ୟକାଳର ୧୨ ବର୍ଷ ପୁରଣ ହୋଇଛି। ବିଜେପିର ବିପୁଳ ବିଜୟ ପରେ ୨୦୧୪ ମସିହା ମେ ମାସ ୨୬ରେ ପ୍ରଥମେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହାପରେ ସେ ୨୦୧୯ରେ ମଧ୍ୟ ବିପୁଳ ସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଭାର ଗ୍ରହଣ କରିଥିଲେ। ସେହିଭଳି ୨୦୨୪ରେ ମଧ୍ୟ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶର ଅନେକ ବିକାଶ କରିଛନ୍ତି। ତାଙ୍କର ଏହି ୧୨ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦେଶର ଆର୍ଥିକ, ସାମାଜିକ, ବୈଶୟିକ ବିକାଶ ହୋଇଛି। ସ୍କିଲ ଇଣ୍ଡିଆ, ଷ୍ଟାଟଅପ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏହାର ପ୍ରମୁଖ ଉଦାହରଣ। ହଜାର ହଜାର କିଲୋମିଟର ଏକ୍ସପ୍ରେସ ୱେ, ଏୟାର ପୋର୍ଟର ସଂଖ୍ୟା ବୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ଭଳି ଯୋଜନା ଦେଶର ବିକାଶକୁ ଦୁଇ ଗୁଣିତ କରିଛି। ଏହି ୧୨ ବର୍ଷର ଯାତ୍ରା ଭିତରେ ଦେଶ ଅନେକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ଦେଖିବାକୁ ପାଇଛି। ଶତାବ୍ଦୀ ଶତାବ୍ଦୀ ପ୍ରତୀକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ସମ୍ଭବ ହୋଇପାରିଛି। ସେହିପରି ଜମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରାଯାଇ ଦେଶକୁ ଏକୀକୃତ କରାଯାଇଛି। କୋଟି କୋଟି ଗରିବ ଲୋକଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥା ସହିତ ଯୋଡିବା ପାଇଁ ଜନ ଧନ ଯୋଜନା ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହାସହ ମୁସଲମାନ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ତିନ ତଲାକ ଆଇନ ଏକ ବଡ଼ ପଦକ୍ଷେପ ଥିଲା। ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଶର ଭବିଷ୍ୟତକୁ ଏକ ନୂଆ ଦିଗ ଦେଇଛି। ବିଜେପି ପକ୍ଷରୁ ଏହି ୧୨ ବର୍ଷର ସଫଳତା ଏବଂ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ଦଳୀୟ ନେତା ଓ କର୍ମୀଙ୍କ ସହ ଦେଶବାସୀ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *