ହର୍ମୁଜ୍ ପ୍ରଣାଳୀ ସିଲ୍ କଲା ଇରାନ ଆମେରିକାର ଆକ୍ରମଣ ପରେ କଟକଣା ଲାଗୁ
ତେହେରାନ: ଇରାନର ସାମରିକ କମାଣ୍ଡ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି । ଆଉ ଚେତାବନୀ ଦେଇଛି ଯେ, ଏହି ପ୍ରଣାଳୀ ଦେଇ ଯାଉଥିବା ଯେକୌଣସି ଜାହାଜକୁ ଟାର୍ଗେଟ କରାଯିବ। ଏହି ସମୟରେ, ଆମେରିକୀୟ ସେନା ପକ୍ଷରୁ ଏକ ପ୍ରତିଶୋଧମୂଳକ ଆକ୍ରମଣ ହୋଇଛି। ଫଳରେ ଏହି ଅଞ୍ଚଳରେ ଅଶାନ୍ତ ବଢ଼ିଥିବା ଦେଖିବାକୁ ମିଳିଛି। ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଗୁରୁବାର ଇରାନର ଶୀର୍ଷ ମିଳିତ ସାମରିକ କମାଣ୍ଡ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି। ଇରାନ ଚେତାବନୀ ଦେଇଛି ଯେ ଏହି ରଣନୈତିକ ଜଳପଥ ଦେଇ ଯିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜ, ତେଲ ଟ୍ୟାଙ୍କର ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରାଯିବ। ହରମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ମାର୍ଗ ମଧ୍ୟରୁ ଗୋଟିଏ, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାଏ। ଏଭଳି ପରିସ୍ଥିତିରେ ଇରାନର ଏହି ଘୋଷଣା ଅନ୍ତର୍ଜାତୀୟ ବଜାର ଏବଂ ଶକ୍ତି କ୍ଷେତ୍ରରେ ଚିନ୍ତା ବଢ଼ାଇଦେଇଛି। ଏହି ସମୟରେ, ଇରାନର ଗଣମାଧ୍ୟମ ଏବଂ ଇସଲାମିକ ବିପ୍ଳବୀ ଗାର୍ଡ କର୍ପସ, ନୌସେନାର ସୂଚନା ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି “ନିୟମ ଉଲ୍ଲଂଘନ” ଜାହାଜକୁ ଟାର୍ଗେଟ କରାଯାଇଛି। ତଥାପି, ଇରାନର ଦାବି ପରେ, ଆମେରିକୀୟ ସେନା ଏହାକୁ ଖଣ୍ଡନ କରିଥିଲା। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) କହିଛି ଯେ ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇନାହିଁ। ଏହାସହ ଆମେରିକା ନୌ ଜାହାଜ ଉପରେ କୌଣସି ଆକ୍ରମଣ ହୋଇ ନଥିବା ସ୍ପଷ୍ଟ କରିଛି। ତେବେ ଇରାନୀ ଗଣମାଧ୍ୟମ ଦେଶର ଦକ୍ଷିଣ ଭାଗରେ ଅନେକ ବିସ୍ଫୋରଣ ହୋଇଥିବା ରିପୋର୍ଟ କରିଛି। ସରକାରୀ ସମାଚାର ଏଜେନ୍ସି IRNA ଅନୁଯାୟୀ, କ୍ୱେଶମ୍ ଏବଂ ହେଙ୍ଗାମ୍ ଦ୍ୱୀପପୁଞ୍ଜରେ ପ୍ରକଳ୍ପକୁ ଟାର୍ଗେଟ କରାଯାଇଛି। ଏହାସହ ବନ୍ଦର ଆବାସରେ ବିମାନବନ୍ଦର ଏବଂ ଏୟାରବେସ୍ ନିକଟରେ ଅନେକ ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣାଯାଇଥିଲା। ମେହର ନ୍ୟୁଜ୍ ଏଜେନ୍ସି ପକ୍ଷରୁ କାଙ୍ଗାନ ବନ୍ଦରରେ ବିସ୍ଫୋରଣ ନେଇ ରିପୋର୍ଟ କରିଛି। ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଥିବାବେଳେ ଯାହାର ପ୍ରଭାବ ସାରା ବିଶ୍ବରେ ପଡ଼ିଛି।

