ଚାକିରିରେ ଯୋଗଦେଲେ ଆଇଏଏସ ଧୀମାନ ଚକମା ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ
ଭୁବନେଶ୍ୱର,୬|୬: ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଥିବା ଆଇଏଏସ୍ ଧୀମାନ ଚକମା ପୁଣି ଚାକିରିରେ ଯୋଗ ଦେଲେ । େଜଲରୁ ଫେରିବା ପରେ ଆଇଏଏସ୍ ଧୀମାନ ଚକମା ପୁଣି ଚାକିରିକୁ ଫେରିଛନ୍ତି। ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ମିଳିଛି। ସୂଚନା ଅନୁଯାୟୀ, ରାଜ୍ୟର ବହୁ ଚର୍ଚ୍ଚିତ ଭିଜିଲାନ୍ସ ମାମଲାରେ ଏବର୍ଷ ବହୁତ ଚର୍ଚ୍ଚାରେ ଥିଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ ତଥା ଆଇଏଏସ ଧୀମାନ ଚକମା ଧରାପଡ଼ିବା ଘଟଣା । ତାଙ୍କ ଜାମିନ ନାମଞ୍ଜୁର ହେବା ସହ ଜେଲ ଯିବାକୁ ପଡ଼ିଥିଲା । ଜଣେ ଆଇଏଏସ ଭିଜିଲାନ୍ସ ମାମଲାରେ ଜେଲଯିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ୨୦୨୫ ଜୁନ ୮ତାରିଖ ରାତିରେ ଭିଜିଲାନ୍ସ ଟିମ୍ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ଚଢଉ କରିଥିଲା । ଲଘୁଖଣି ବ୍ୟବସାୟୀ ହର୍ଷ ବର୍ଦ୍ଧନ ବେହେରାଙ୍କ ଅଭିଯୋଗକ୍ରମେ ଏହି ଚଢ଼ଉ ହୋଇଥିଲା । ଶ୍ରୀ ବେହେରାଙ୍କ ଜୟପାଟଣା କ୍ରସରକୁ ଚଲାଇ ନଦେବା ପାଇଁ ଉପଜିଲ୍ଲାପାଳ ଧୀମାନ ଚକମା ଭୟଭୀତ କରିଥିଲେ । କ୍ରସରର ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ୨୦ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତାହାର ପ୍ରଥମକିସ୍ତି ଦେବାକୁ କ୍ରସର ମାଲିକ ରାତିରେ ସରକାରୀ ବାସଭବନ ପହଞ୍ଚିଥିଲେ । ତାଙ୍କ ସହ ପୂର୍ବ ପ୍ରସ୍ତୁତିରେ ଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସି ରାସାୟନିକ ବୋଳା ଶହେ ଟଙ୍କିଆ ନୋଟ୍ ୨୬ଟି ବିଡ଼ାରେ ୧୦ଲକ୍ଷ ଲାଞ୍ଚ ଟଙ୍କା ଜବତ କରିଥିଲା । ପରବର୍ତ୍ତି ଯାଞ୍ଚରେ ୪୭ଲକ୍ଷ ୪୭ହଜାର ୬୦୦ଟଙ୍କା ମଧ୍ୟ ଜବତ ହୋଇଥିଲା । ଧିମାନଙ୍କ ତ୍ରିପୁରା ସ୍ଥିତ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଏଠାରୁ ମଧ୍ୟ ଭିଜିଲାନ୍ସ ଅନେକ ତଥ୍ୟ ମିଳିଥିଲା । ଜେଲରୁ ଫେରିବା ପରେ ରାଜସ୍ୱ ବିଭାଗରେ ଉପସଚିବ ଭାବେ ତାଙ୍କୁ ମେ ମାସ ୨୧ ତାରିଖରେ ନିଯୁକ୍ତି ମିଳିବା ପରେ ଏବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

