ଜାତୀୟତାଜା ଖବର

ଟେଲିଗ୍ରାମ୍କୁ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ ପାଇରେସି ରୋକିବାକୁ ଦେଲେ ୧୫ ଦିନର ମହଲତ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମ୍ ପାଇଁ ବଢ଼ୁଛି ଅଡ଼ୁଆ। ଦିନକୁ ଦିନ ବିବାଦରେ ଛନ୍ଦି ହୋଇଯାଉଛି ଏହି ଲୋକପ୍ରିୟ ଆପ୍୍। ଟେଲିଗ୍ରାମ୍ ଉପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ଲାଟଫର୍ମରେ ଚାଲିଥିବା ବ୍ୟାପକ ଫିଲ୍ମ ଏବଂ ଓଟିଟି କଣ୍ଟେଣ୍ଟର ପାଇରେସିକୁ ନେଇ ସରକାର ଟେଲିଗ୍ରାମ୍‌କୁ ଏକ ନୋଟିସ୍ ଜାରି କରିଛନ୍ତି। ଏହି ବେଆଇନ କାର୍ଯ୍ୟକୁ ତୁରନ୍ତ ରୋକିବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଏକ ଆକ୍ସନ୍ ଟେକେନ୍ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଟେଲିଗ୍ରାମ୍ କେବଳ ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଚ୍ୟାନେଲ୍ ଗୁଡ଼ିକୁ ବନ୍ଦ କରିବାକୁ ଅପେକ୍ଷା ନକରି ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ପାଇରେଟେଡ୍ ଫିଲ୍ମ ଏବଂ ଅନ୍ୟାନ୍ୟ କଣ୍ଟେଣ୍ଟ ପ୍ରସାରଣ କରୁଥିବା ଆକାଉଣ୍ଟ, ଗ୍ରୁପ୍, ବଟ୍ ଏବଂ ଆଡମିନିଷ୍ଟ୍ରେଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଟିଟି ପ୍ଲାଟଫର୍ମ ଏବଂ କଣ୍ଟେଣ୍ଟ ମାଲିକମାନଙ୍କ ଅଭିଯୋଗ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ଟେଲିଗ୍ରାମ୍‌ରେ ପ୍ରାୟ ୩,୧୪୨ଟି ଚ୍ୟାନେଲ୍ ବେଆଇନ ଭାବେ ଫିଲ୍ମ ଓ ୱେବ୍ ସିରିଜ୍ ସେୟାର କରୁଥିବା ଜଣାପଡ଼ିଛି। ଭାରତର କ୍ରିଏଟର୍ ଇକୋନୋମି, ଫିଲ୍ମ ଇଣ୍ଡଷ୍ଟ୍ରି, ପ୍ରଯୋଜକ ଏବଂ ବିତରକମାନଙ୍କୁ ଡିଜିଟାଲ୍ ପାଇରେସି ଯୋଗୁଁ ହେଉଥିବା ବିପୁଳ କ୍ଷତିରୁ ରକ୍ଷା କରିବା ହେଉଛି ସରକାରଙ୍କ ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। କେବଳ ପାଇରେସି ନୁହେଁ, ବରଂ ଅନ୍ୟାନ୍ୟ କାରଣରୁ ମଧ୍ୟ ଟେଲିଗ୍ରାମ୍ କ୍ରମାଗତ ଭାବେ ଭାରତ ସରକାରଙ୍କ ସ୍କାନରରେ ରହିଆସିଛି। ଏହା ପୂର୍ବରୁ ନିଟ୍  ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଅନ୍ୟାନ୍ୟ ଠକେଇ ମାମଲାରେ ପ୍ଲାଟଫର୍ମର ଅପବ୍ୟବହାରକୁ ନେଇ ମଧ୍ୟ ଟେଲିଗ୍ରାମ୍ ବିବାଦରେ ରହିଥିଲା।

Leave a Reply

Your email address will not be published. Required fields are marked *