ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ୨୦୦ ଘର ଛାରଖାର
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ଉଦ୍ୟୋଗ ଭବନ ନିକଟରେ ଥିବା ଏକ ଶ୍ରମିକ ଶିବିରରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୨୦୦ ଶ୍ରମିକଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଉକ୍ତ ଶିବିର ସେନା ଭବନ ନିକଟରେ ଅବସ୍ଥିତ। ଅଗ୍ନିକାଣ୍ଡ ନେଇ ଖବର ପାଇ ଘଟଣାସ୍ଥଳରେ ୨୫ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚିଥିଲେ। ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ଅଗ୍ନିକୁ ନିୟନ୍ତ୍ରଣ କରାଯାଇଥିଲା। ପୁଣି ଥରେ ଯେପରି ନିଆଁ ନଲାଗିବ ସେଥିପାଇଁ କୁଲିଂ ଅପରେସନ୍ ମଧ୍ୟ କରାଯାଇଥିଲା । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଅନ୍ୟପଟେ ଦିଲ୍ଲୀ ଅଗ୍ନିଶମ ବିଭାଗର ଅଧିକାରୀ ସନ୍ଦୀପ ଦୁଗ୍ଗଲ କହିଛନ୍ତି ଯେ, ଉକ୍ତ ଶିବିରରେ ଏଲପିଜି ସିଲିଣ୍ଡର ବ୍ୟବହାର କରାଯାଉଥିଲା ଏବଂ ଭିତରେ ବିଦ୍ୟୁତ୍ ତାର ଥିଲା । ଏହି ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ ଅଗ୍ନିକାଣ୍ଡର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି। କିନ୍ତୁ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ। ଅନ୍ୟପଟେ ପ୍ରତ୍ୟେକ୍ଷ୍ୟଦର୍ଶୀଙ୍କ କହିବାନୁଯାୟୀ, ଅଗ୍ନିକାଣ୍ଡ ଏକ ବିଦ୍ୟୁତ୍ ପ୍ୟାନେଲରୁ ଆରମ୍ଭ ହୋଇ ନିକଟସ୍ଥ ଝୁମ୍ପୁଡ଼ି ଗୁଡ଼ିକୁ ବ୍ୟାପିଯାଇଥିଲା। ନିଆଁ ଯୋଗୁଁ ଝୁମ୍ପୁଡ଼ି ଗୁଡ଼ିକରେ ଥିବା ସମସ୍ତ ଜିନିଷପତ୍ରଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ଝୁମ୍ପୁଡ଼ିରେ ଥିବା ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ବାହାରକୁ ପଳାଇ ଆସିଥିଲେ । ଫଳରେ କୌଣସି ବ୍ୟକ୍ତି ଆହତ ହୋଇନାହାଁନ୍ତି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି।

