ଜାତୀୟତାଜା ଖବର

ନିଟ୍୍-ୟୁଜି ପେପର ଲିକ୍୍ ପ୍ରସଙ୍ଗ , ୩୭ ଦିନରେ ୧୨ ଜଣ ପିଲାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ନିଟ-ୟୁଜି -୨୦୨୬ ପରୀକ୍ଷା ରଦ୍ଦ ହେବା ଏବଂ ପୁନଃ ପରୀକ୍ଷା ଜୁନ୍ ୨୧ ତାରିଖରେ ହେବାକୁ ଥିବାବେଳେ ଦେଶବ୍ୟାପୀ ପରୀକ୍ଷାର୍ଥୀ ଭାଙ୍ଗି ପଡ଼ିଥିବା ଦେଖାଯାଇଛି। ପୁନଃପରୀକ୍ଷା ପୂର୍ବରୁ କିଛି ସପ୍ତାହ ମଧ୍ୟରେ, ସାରା ଭାରତରେ ଅତି କମରେ ୧୨ ଜଣ ଛାତ୍ର ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ପରିବାର ଓ ପିଲାଙ୍କ ମଧ୍ୟରେ ପରବର୍ତ୍ତୀ ଅନିଶ୍ଚିତତା ଓ ଅତ୍ୟଧିକ ଚାପ ଦେଖାଯାଇଥିବାରୁ ପିଲାମାନେ ଏଭଳି ଦୁଃଖଦ ରାସ୍ତା ଆପଣାଉଥିବା ଜଣାପଡ଼ିଛି। ଗତ ମେ ୩ ତାରିଖରେ NEET ପରୀକ୍ଷା ଦେବା ପରେ, ରାଜସ୍ଥାନର ଝୁନଝୁନୁ ଜିଲ୍ଲାର ଏକ ଗାଁର ୨୨ ବର୍ଷୀୟ ଛାତ୍ର ତାଙ୍କ ବାପାଙ୍କୁ କହିଥିଲେ ଯେ, ଏଥର ପରୀକ୍ଷା ଏତେ ଭଲ ହୋଇଛି ଯେ “ଭଗବାନ ମଧ୍ୟ ମୋତେ ଯୋଗ୍ୟତା ଅର୍ଜନ କରିବାରୁ ଅଟକାଇ ପାରିବେ ନାହିଁ”। ତେବେ କିଛି ଦିନ ପରେ ପେପର ଲିକ୍ ଓ ପରେ ପୁନଃପରୀକ୍ଷା ଘୋଷଣା କରାଯିବା ପରେ ଛାତ୍ର ଜଣକ ଅହେତୁକ ବିଚଳିତ ହେବା ସହ ବ୍ୟସ୍ତ ହୋଇପଡ଼ିଥିଲେ। ତିନି ଦିନ ପରେ ସେ ଆତ୍ମହତ୍ୟା କରି ମୃତ୍ୟୁବରଣ କଲେ। ସେହିପରି ପୁନଃ ପରୀକ୍ଷା ପୂର୍ବରୁ ଏକ ମାସରୁ କମ୍ ସମୟ ମଧ୍ୟରେ ୧୨ ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ଖବର ସାରା ଦେଶବାସୀଙ୍କୁ ବ୍ୟଥିତ କରିଛି। ସରକାର ଓ ପ୍ରଶାସନର ଭୁଲ ଓ ଅପାରଗତାର ଫଳ ନୀରିହ ପିଲାମାନେ କାହିଁକି ଭୋଗିବେ ପାଇବେ ବୋଲି ପ୍ରଶ୍ନ ସୃଷ୍ଟି ହେଉଛି। ଏପରିକି ମୃତ ଛାତ୍ରଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଦାବି ଉଠିଛି।  ସୂଚନା ଯୋଗ୍ୟ ଯେ, ସମସ୍ତ ୧୨ ଜଣ ଆଶାୟୀ ଜୁନ ୨୧ ରେ ପୁନଃପରୀକ୍ଷା ଦେବାକୁ ସ୍ଥିର କରିଥିଲେ। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି, ତାହା ତଦନ୍ତ ସାପେକ୍ଷ।

Leave a Reply

Your email address will not be published. Required fields are marked *