ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ଜୁଲାଇ ୧୦ରେ ଦିନିକିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଯିବେ । ଗତ ୪୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କରିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ସପ୍ତାହରେ ସରକାରୀ ଭାବେ ନ୍ୟୁଜିଲାଣ୍ଡ ଗସ୍ତ କରିବେ । ଲକ୍ସନ କହିଛନ୍ତି, ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସହିତ ଦୁଇ ଦେଶ ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ । ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ଅକଲାଣ୍ଡରେ ପହଞ୍ଚିବେ ଓ ତା’ପର ଦିନ ଭାରତ ଫେରିବେ । ଭାରତ ଓ ନ୍ୟୁଜିଲାଣ୍ଡ ଚଳିତବର୍ଷ ଏପ୍ରିଲ ୨୭ ତାରିଖରେ ନୂଆଦିଲ୍ଲୀଠାରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର କରିଥିଲେ ।

