ଜାତୀୟତାଜା ଖବର

ରାଜ୍ୟରେ ଗଠିତ ହେବ ଆଂଟି ନାର୍କୋଟିକ୍ସ ଟାସ୍କ ଫୋର୍ସ

ଭୁବନେଶ୍ୱର :  ରାଜ୍ୟରେ ନିଶା ବିରୋଧୀ ଅଭିଯାନ ଆହୁରି କଠୋର ହେବ। ରାଜ୍ୟର ଏଡିଜି ପାହ୍ୟାର ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ଆଂଟି ନାର୍କୋଟିକ୍‌ସ ଟାସ୍କ୍‌ ଫୋର୍ସ ଗଠିତ ହେବ। ଏହା ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ  ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ। ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆନୁକୂଲ୍ୟରେ ସମଗ୍ର ଦେଶରେ ୨୬ ଜୁନରୁ ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପ୍ରାକ୍‌ ପରୀକ୍ଷଣ ନିଶା ଧ୍ବଂସ ସ୍ବତନ୍ତ୍ର ଅଭିଯାନ ଚାଲିଛି। ଏହି କ୍ରମରେ ବୁଧବାର ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଜାତୀୟ ସ୍ତରୀୟ ପ୍ରାକ-ବିଚାରାଧୀନ ଜବତ ମାଦକଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ମହାନିର୍ଦ୍ଦେଶକ  (କ୍ରାଇମ୍ ବ୍ରାଞ୍ଚ) ବିନୟ ତୋଷ ମିଶ୍ର, ଆଇଜିପି (କ୍ରାଇମ୍ ବ୍ରାଞ୍ଚ) ଡ ସାର୍ଥକ ଷଡଙ୍ଗୀ, ଡିଆଇଜିପି (ଏସଟିଏଫ)  ଡ କନୱର ବିଶାଳ ସିଂଙ୍କ ସହିତ ପୋଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନିଜ ବକ୍ତବ୍ୟରେ ଶ୍ରୀଖୁରାନିଆ କହିଥିଲେ, ଗଠିତ ହେବାକୁ ଥିବା ଆଂଟି ନାର୍କୋଟିକ୍‌ସ ଦ୍ବାରା ପ୍ରତିବର୍ଷ ଅତିକମରେ ୧୦୦ ଜଣ ପ୍ରମୁଖ ଡ୍ରଗ୍ ମାଫିଆଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିଯିବ। ସେ ନିଶାମୁକ୍ତ ଓଡ଼ିଶା ଗଠନ ସମ୍ପର୍କରେ ଆଲୋଚନା କରି କହିଥିଲେ, ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହେଉଛି ଓଡ଼ିଶା ପୁଲିସର ସର୍ବୋଚ୍ଚ ପ୍ରାଥମିକତା। ନିଶା କାରବାର ଓ ଚୋରାଚାଲାଣ ବିରୋଧରେ ଆଗାମୀ ଦିନରେ ଅଭିଯାନକୁ ଆହୁରି ବ୍ୟାପକ କରାଯିବ। ନିଶା କାରବାର ସମ୍ପର୍କିତ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ବଲପୁରରେ ୪ଟି ସ୍ୱତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ସରକାର  ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ, ନିଶାମୁକ୍ତ ଓଡ଼ିଶା ଗଠନ ଅଭିଯାନ‌ରେ  ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି। ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ୧୯୧୧ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।  ୨୪୪୫ଟି ଏନ୍‌ଡିପିଏସ୍‌ ମାମଲାରେ ୨୧୦୬ କୋଟି ଟଙ୍କାର ଗଞ୍ଜେଇ ଓ ୨୨୫ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ କରାଯାଇଛି। ୩,୫୦୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *