ଖଣ୍ଡା ଆକ୍ରମଣରେ ଯୁବକ ମୃତ: ଅଭିଯୁକ୍ତ ଗିରଫ
ବାଲିଶଙ୍କରା: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଲସରା ଥାନା ଅନ୍ତର୍ଗତ ମାୟାବାହାଲ ଦେହେରୀପଡ଼ାରେ ଖଣ୍ଡା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହେମନ୍ତ ନାଏକ(୨୫)। ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ସେ। ଗତ ଶୁକ୍ରବାର ରାତି ସାଢେ ୧୦ଟା ସମୟରେ ଲୋମଟାଙ୍କୁରା ଅଘଟଣ ଘଟିଯାଇଛି। ସୂଚନାଯୋଗ୍ୟ ଯେ, ଗତକାଲି ମାୟାବାହାଲ ଗ୍ରାମରେ ଚାଷୀମାନେ ମିଶି ଚାଷ କାର୍ଯ୍ୟ ପୂର୍ବରୁ ଗ୍ରାମ ଦେବତାଙ୍କ (ଦେମୁଲ) ପୂଜା କରିଥିଲେ। ଉକ୍ତ ପୂଜା ଉତ୍ସବରେ ପୂଜକ (କାଲୋ) ରୂପେ ଅଭିଯୁକ୍ତ କନ୍ଦର୍ପ ଦେହେରି (୫୦) ପୂଜା କାର୍ଯ୍ୟ ତୁଲାଇଥିଲେ। ପୂଜା ସାରି ନିଜ ଘରକୁ ଆସି କନ୍ଦର୍ପ ଦେହେରି ନିଜ ସ୍ତ୍ରୀ ବିନୀତ ଦେହେରିଙ୍କୁ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ। ବିନୀତ ମାଡ଼ ଭୟରେ ପଡୋଶୀ ହେମନ୍ତଙ୍କ ଘରେ ଲୁଚିବାକୁ ଯାଇଥିଲେ। ଏହି ସମୟରେ କନ୍ଦର୍ପ ହେମନ୍ତ ଘରକୁ ଆସି ପାଟିତୁଣ୍ଡ କରିଥିଲେ। ପାଟିତୁଣ୍ଡ ଶୁଣି ହେମନ୍ତଙ୍କ ଭଉଣୀ କୁମାରୀ ନାଏକ ଆସି କନ୍ଦର୍ପଙ୍କୁ ବାରଣ କରିଥିଲେ। ଏଥିରେ କନ୍ଦର୍ପ ଉତ୍ୟକ୍ତ ହୋଇ କୁମାରୀ ନାଏକଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଭଉଣୀକୁ ମାଡ଼ ମାରୁଥିବା ଦେଖି ହେମନ୍ତ ନାଏକ କନ୍ଦର୍ପଙ୍କୁ ବାରଣ କରିବାରୁ କନ୍ଦର୍ପ ନିଜ ଘରକୁ ଚାଲିଯାଇଥିଲେ । ପରେ କନ୍ଦର୍ପ ନିଜ ଘରୁ ଏକ ଖଣ୍ଡା ଆଣି ହେମନ୍ତଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରି ଚୋଟ ଉପରେ ଚୋଟ ପକାଇ ଚାଲିଥିଲା। ଘଟଣାସ୍ଥଳରେ ହିଁ ହେମନ୍ତ ନାଏକଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସାଙ୍ଗେସାଙ୍ଗେ ପରିବାରବର୍ଗ ତଲସରା ଥାନାକୁ ଖବର ଦେଇଥିଲେ। ଖବରପାଇ ରାତିରେ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିବାବେଳେ ଅଭିଯୁକ୍ତ କନ୍ଦର୍ପ ଦେହେରିଙ୍କୁ ଗିରଫ କରାଯାଇଛି। ହେମନ୍ତଙ୍କ ୨ ଭାଇ ଓ ଜଣେ ଭଉଣୀ ଅଛନ୍ତି। ତାଙ୍କର ମା’ଙ୍କ ୧୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ତାଙ୍କର ବାପାଙ୍କ ୨ ବର୍ଷ ହେବ ଦେହାନ୍ତ ହୋଇଥିଲା। ଭଉଣୀ କୁମାରୀ ନାଏକଙ୍କ ଆସନ୍ତା ଜୁଲାଇ ୬ ତାରିଖରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇ ବନ୍ଧୁ ବାନ୍ଧବଙ୍କ ନିକଟକୁ ନିମନ୍ତ୍ରଣ କରା ସରିଲାଣି। ହେମନ୍ତ ପରିବାରର ଏକମାତ୍ର ରୋଜଗାରିଆ ଥିଲେ।ସେ ପରିବାରର ସମସ୍ତ କାର୍ଯ୍ୟ ତୁଲାଉଥିଲେ। ଏବେ ଭଉଣୀର ବିବାହ କିପରି ସମ୍ପନ୍ନ ହେବ ସେ ଚିନ୍ତାରେ ଛୋଟ ଛୋଟ ଭାଇ ଓ ଭଉଣୀ।
ବଜ୍ରପାତରେ ଜଳିଗଲା ଘର, ବର୍ତ୍ତିଗଲେ ୩ ସଦସ୍ୟ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯାଲୋଏ ପଞ୍ଚାୟତରେ ବଜ୍ରପାତରେ ଏକ ଛଣଛପର ଘର ପୋଡ଼ିଯାଇଛି। ଏଥିରେ ଥିବା ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଶୁକ୍ରବାର ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଅନୁଭୂତ ହୋଇଥିଲା। ତୁଳସୀଟିକ୍ରା ଗାଁରେ ନିଜ ଘରେ ଏକା ଦଣ୍ଡା, ପତ୍ନୀ କହର ଦନ୍ତା, ଝିଅ ରଶ୍ମିତା ଦନ୍ତା ଥିଲେ। ଏହି ସମୟରେ ତାଙ୍କ ଘର ଉପରେ ବଜ୍ରପାତ ହୋଇଥିଲା। ଫଳରେ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଜାଣି ପରିବାର ସଦସ୍ୟ ଭୟରେ ବାହାରକୁ ଚାଲିଆସିଥିଲେ।

