ତାଜା ଖବର

ପ୍ରସବ ଅସ୍ତ୍ରୋପଚାର ବେଳେ ବ୍ଲାଡର କାଟି ଦଲେ ଡାକ୍ତର ମହିଳାଙ୍କ ମୃତ୍ୟୁ, ନର୍ସିଂହୋମ୍ ସମ୍ମୁଖରେ ଉତ୍ତେଜନା

ବରଗଡ: ବରଗଡ଼ ସହରରେ ଚିକିତ୍ସା ଅବହେଳାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ େହାଇଛି। ସିଜରିଆନ ଅପରେସନ୍ ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ବ୍ଲାଡର୍ କଟିଯିବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତକ ହେଲେ ଭଟଲି ବ୍ଲକ ହାତିସର୍ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ସୃଷ୍ଟିପ୍ରଭା ପଧାନ। ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦାମାନେ ପୁରୋହିତ ନର୍ସିଂ ହୋମ୍ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ଘଟଣାର ନିରପେକ୍ଷ ତଦନ୍ତ ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ରାସ୍ତାରୋକ କରାଯାଇଛି। ଫଳରେ ଉଭୟପାର୍ଶ୍ବ ଟ୍ରାଫିକ ସମସ୍ୟା େଦଖା େଦଇଥିଲା। ଖବର େଲଖା େହବା ସୁଦ୍ଧା ରାସ୍ତା ରୋକରୁ ହଟି ନଥିବା ଜଣାପଡ଼ିଛି।  ପରିବାର ସୂତ୍ରରୁ ପ୍ରକାଶ ଯେ, ଗତ ମେ’ ୧୩ରେ ସୃଷ୍ଟିପ୍ରଭାଙ୍କ ଚିକିତ୍ସା ପାଇଁ ସେ ବରଗଡ଼ ସହରର ପୁରୋହିତ ନର୍ସିଂ ହୋମ୍‌କୁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ସିଜରିଆନ୍ (ସିଏସ୍)ଅପରେସନ୍ କରାଯାଇଥିଲା। ଅପରେସନର କିଛି ସମୟ ପରେ ଡାକ୍ତର ପରିବାର ଲୋକଙ୍କୁ ରକ୍ତ ଆଣିବାକୁ କହିଥିଲେ। ପରିବାର େଲାକେ ରକ୍ତ ଅାଣି ଦେବା ପରେ ସୃଷ୍ଟିପ୍ରଭାଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିବାରୁ ନର୍ସିଂ ହୋମ୍ ପକ୍ଷରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା। ପରେ ତାଙ୍କୁ ବୁର୍ଲା, ବିକାଶ ହସ୍ପିଟାଲ ଏବଂ ଶେଷରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର  ମୃତ୍ୟୁ ଘଟିଥିଲା। କିନ୍ତୁ ଅପରେସନ୍ ସମୟରେ ଅବହେଳା ଯୋଗୁଁ ତାଙ୍କ ବ୍ଲାଡର୍ କଟିଯାଇଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟମାନେ। ଏହାକୁ େନଇ ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦାମାନେ ପୁରୋହିତ ନର୍ସିଂ ହୋମ୍ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ନର୍ସିଂ ହୋମ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

Leave a Reply

Your email address will not be published. Required fields are marked *