ଟ୍ରକ୍ ଚାପାରେ ମା ଓ ଝିଅ ମୃତ
ବଲାଙ୍ଗୀର: ବଲାଙ୍ଗୀର ସହର ୨୬ନଂ ଜାତୀୟ ରାଜପଥ ଗାନ୍ଧୀନଗରପଡାରେ ଟ୍ରକ ଚାପାରେ ମା ଓ ଝିଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମା ସୁନିତା ନାଗ ଓ ଝିଅ ସ୍ମୃତି ନାଗ। ସ୍କୁଟିରେ ମା ଓ ଝିଅ ଯାଉଥିବାବେଳେ ଏହି ଦୁର୍ଘଟଣା ହୋଇଛି। ସୂଚନା ଅନୁଯାୟୀ, ମା’ ଓ ଝିଅ ସ୍କୁଟି ଯୋଗେ ଯାଉଥିବା ବେଳେ ରାସ୍ତା ଉପରେ ପଡ଼ିଥିବା ପୋଖରୀ ପଙ୍କ ଯୋଗୁଁ ଗାଡ଼ିଟି ସ୍ଲିପ୍ କରିଥିଲା। ଫଳରେ ଉଭୟ ରାସ୍ତା ଉପରେ ପଡ଼ିଯାଇଥିଲେ। ସେହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ମା’ ଓ ଝିଅଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖାଯାଇଥିଲା। ପ୍ରଶାସନର ଅବହେଳାକୁ ଦାୟୀ କରିଥିଲେ ଲୋକେ। ଜଳାଶୟ ପୁନରୁଦ୍ଧାର କିମ୍ବା ପଙ୍କ ଉତ୍ତୋଳନ କାର୍ଯ୍ୟ ସମୟରେ ରାସ୍ତା ଉପରେ ପଙ୍କ ପଡ଼ି ରହିଥିଲେ ମଧ୍ୟ ତାହାକୁ ସଫା କରାଯାଇନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣା ପରେ ସହରବାସୀ ବିପଦପୂର୍ଣ୍ଣ ରାସ୍ତାଗୁଡ଼ିକର ତୁରନ୍ତ ସଫେଇ ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏକ ସାମାନ୍ୟ ଅବହେଳା ଦୁଇଟି ନିରୀହ ଜୀବନ ନେଇଥିବା ଏହି ଘଟଣା ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନଙ୍କ ମତରେ, ସମୟମତେ ରାସ୍ତା ସଫା କରାଯାଇଥାନ୍ତା ହେଲେ ହୁଏତ ଏହି ଅଘଟଣକୁ ଏଡ଼ାଯାଇପାରିଥାନ୍ତା।

