ଆନ୍ତର୍ଜାତୀୟତାଜା ଖବର

ଚୀନ୍ ପ୍ରାଧାନ୍ୟ ରୋକିବା ପାଇଁ ଏକଜୁଟ ହେବା ଆବଶ୍ୟକ

ସିଙ୍ଗାପୁର, ୩୦|୫: ଚୀନର ପ୍ରାଧାନ୍ୟ ରୋକିବା ପାଇଁ ସହଯୋଗୀ ରାଷ୍ଟ୍ର ଗୁଡ଼ିକ ଏକଜୁଟ ହେବା ଆବଶ୍ୟକ ବୋଲି ଆମେରିକା କହିଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଶନିବାର ଏସୀୟ ସହଯୋଗୀମାନଙ୍କୁ ଚୀନ୍‌ର ବୃଦ୍ଧି ପାଉଥିବା ଶକ୍ତିର ମୁକାବିଲା କରିବା ଏବଂ ଏହି ଅଞ୍ଚଳରେ ଚୀନ୍‌ର ପ୍ରାଧାନ୍ୟକୁ ରୋକିବା ପାଇଁ ସାମରିକ ଖର୍ଚ୍ଚ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସାମରିକ ବାହିନୀ ଏବଂ କୂଟନୀତିଜ୍ଞଙ୍କ ପାଇଁ ଏସିଆର ପ୍ରମୁଖ କାର୍ଯ୍ୟକ୍ରମ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଏଲଗରେ ଭାଷଣ ଦେଇ ହେଗସେଥ୍ କହିଛନ୍ତି ଯେ ଶକ୍ତିଶାଳୀ ତଥା ଅଧିକ ଆତ୍ମନିର୍ଭରଶୀଳ ସହଯୋଗୀମାନେ ଏକଜୁଟ ହୋଇ ଚୀନ୍‌ର ପ୍ରତିରୋଧ କରିପାରିବେ। ଚୀନ୍‌ର ବୃଦ୍ଧି ପାଉଥିବା ସାମରିକ କାର୍ଯ୍ୟକଳାପ ନେଇ ସତର୍କତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଯେକୌଣସି ଆଧିପତ୍ୟବାଦୀଙ୍କ ବୃଦ୍ଧିପାଉଥିବା ବିସ୍ତାରବାଦୀ ନୀତି ପ୍ରାଧାନ୍ୟ ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ଶକ୍ତି ସନ୍ତୁଳନକୁ ବିଗାଡ଼ି ଦେବ। ଚୀନ୍ ସମେତ କୌଣସି ରାଷ୍ଟ୍ର ଆଧିପତ୍ୟ ଲାଗୁ କରିପାରିବେ ନାହିଁ ତଥା ଆମ ରାଷ୍ଟ୍ର ଏବଂ ଆମର ସହଯୋଗୀଙ୍କ ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲଗାଇ ପାରିବେ ନାହିଁ ବୋଲି କହି ସେ ଚୀନ୍ ପାଇଁ ଲକ୍ଷ୍ମଣରେଖା ଟାଣିଛନ୍ତି। ପେଣ୍ଟାଗନ ମୁଖ୍ୟ କହିଛନ୍ତି ଯେ ଆମେରିକା ଏହାର ସାମରିକ କ୍ଷେତ୍ରରେ ୧.୫ ଟ୍ରିଲିୟନ ଡଲାର ନିବେଶର ପ୍ରତିଶ୍ରୁତି ଦେଇଛି। ଏପରିସ୍ଥଳେ ଆମେରିକାର ଏସୀୟ ସହଯୋଗୀ ଏବଂ ଅଂଶୀଦାରମାନେ ପ୍ରତିରକ୍ଷା ଖର୍ଚ୍ଚକୁ ସେମାନଙ୍କ ଜିଡ଼ିପିର ୩.୫% ପର୍ଯ୍ୟନ୍ତ ବୃଦ୍ଧି କରିବେ ବୋଲି ଆଶା କରାଯାଉଛି। ହେଗସେଥ୍ ଗୁରୁତ୍ୱାରୋପ କରିଛନ୍ତି ଯେ, ସହଯୋଗୀମାନେ ଉତ୍ତେଜନା ନୁହେଁ, ସ୍ଥିରତା ଚାହୁଁଛନ୍ତି। ହେଗସେଥ୍ କହିଛନ୍ତି ଯେ, ବେଜିଂ ସହିତ ଆମର ସମ୍ପର୍କ ପୂର୍ବାପେକ୍ଷା ଯଥେଷ୍ଟ ସୁଧୁରିଛି। ଆମେ ସାମରିକ ଯୋଗାଯୋଗର ସକାରାତ୍ମକ ଭାବନା ବଜାୟ ରଖି ଆମର ଚୀନ୍ ପ୍ରତିପକ୍ଷଙ୍କ ସହିତ ସାକ୍ଷାତ କରୁଛୁ।

Leave a Reply

Your email address will not be published. Required fields are marked *