ଜାତୀୟତାଜା ଖବର

ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଯାଇ ଅଘଟଣ ୩୦୦ ଫୁଟ ତଳକୁ ଖସିଲା କାର, ୧ ମୃତ ଓ ଚାରି ଆହତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଲଛମଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ କାକିରିଗୁମା ଗ୍ରାମର ଆଦିତ୍ୟ ବିଶୋଇ(୧୨) । ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଯାଇଥିବାବେଳେ ୩୦୦ ଫୁଟ ତଳକୁ କାର ଖସିଛି। ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦଶମନ୍ଥପୁର ବ୍ଲକ୍ ଲୁଲା ଗ୍ରାମର ଦିଲୀପ ବିଶୋଇ, ସ୍ତ୍ରୀ ଡୋଲୀ ବିଶୋଇ ଓ ତାଙ୍କର ଦୁଇ ବର୍ଷର ପୁଅକୁ ଧରି ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମା ସ୍ଥିତ ଶଶୁର ଘରକୁ ଆସିଥିଲେ। ମଙ୍ଗଳବାର ଅପରାହ୍ନରେ ନିଜର କାରରେ ତାଙ୍କ ପରିବାର ସମେତ ଶଳା ବିକ୍ରମ, ଆଦିତ୍ୟ ଓ ଶାଳୀ ଶ୍ରାବଣୀଙ୍କୁ ଧରି ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ବାହାରିଥିଲେ। ପର୍ଯ୍ୟଟନ ସ୍ଥଳ ବୁଲି ସେଠାରୁ ଫେରିବା ବେଳେ ଲଛମଣି ଘାଟିରେ କାର ଭାରସାମ୍ୟ ହରାଇ ପାହାଡ଼ରୁ ପ୍ରାୟ ତିନିଶହ ଫୁଟ ତଳକୁ ଖସି ପଡିଥିଲା।ଏହା ଦେଖି ଲଛମଣି ଗ୍ରାମର କିଛି ଲୋକ ସମସ୍ତଙ୍କୁ ଉଦ୍ଧାର କରି କାକିରିଗୁମା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇଥିଲେ। କାକିରିଗୁମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ସେମିତି କୌଣସି ସୁବିଧା ନଥିବାରୁ ପ୍ରାଥମିକ ଚିକିତ୍ସା କରି ସଭିଙ୍କୁ କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଆଦିତ୍ୟଙ୍କ ଅବସ୍ଥା ଅତି ଗୁରୁତର ଥିବା ବେଳେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କାକିରିଗୁମା ଥାନାରେ ପୋଲିସ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଛି। ନାବାଳକ ଆଦିତ୍ୟଙ୍କ ମୃତ ଖବର ଶୁଣି ସାହି ପଡିସା ସମସ୍ତେ ମର୍ମାହତ ହୋଇ ପଡ଼ିଥିବା ବେଳେ ତାଙ୍କ ଘରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *