ପୁଣି ଚାଷୀଙ୍କ ‘ଇଚ୍ଛାମୃତ୍ୟୁ’ ଦାବି ଧାନ ବିକ୍ରି ପାଇଁ ଟୋକନ ନମିଳିବାରୁ ରାଷ୍ଟ୍ରପତିଙ୍କୁ ଚିଠି
ବରଗଡ଼: ରାଜ୍ୟ ସରକାର ଚାଷ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇ ଅନେକ ଯୋଜନା କରୁଥିବାବେଳେ ଏଠାରେ ସବୁ କିଛି ଫେଲ ମାରିଛି। ଧାନ ବିକ୍ରି ସମସ୍ୟା ଏବେ ଚାଷୀଙ୍କୁ ହରଡ଼ଘଣାରେ ପକାଇଛି। କାହାକୁ ଟୋକେନ ମିଳୁନି ତ ଆଉ କାହାକୁ ଜମି ଅନୁସାରେ କମ୍ ପରିମାଣର ଟକେନ ମିଳୁଛି। ଏ ନେଇ ଚାଷୀର ଚିନ୍ତା ବଢିଯାଇଛି। ଏଭଳି ସ୍ଥିତିରେ ପୁଣି ଚର୍ଚ୍ଚାରେ ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା। ଧାନ ମଣ୍ଡିରେ ବିକ୍ରି ପାଇଁ ଟୋକନ ନମିଳିବା ଓ ପ୍ରଶାସନିକ ଅବହେଳା ଅଭିଯୋଗ କରି ଜଣେ ଯୁବଚାଷୀ ଏବେ ‘ଇଚ୍ଛାମୃତ୍ୟୁ’ ପାଇଁ ଆବେଦନ କରିଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ବରଗଡ଼ ଜିଲ୍ଲା ପଦ୍ମପୁରର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମରେ ଘଟିଛି । ଗ୍ରାମର ଯୁବଚାଷୀ ଗୋପାଳ ସାହୁ ଚଳିତ ରବି ଋତୁରେ ଧାର-କରଜ କରି ଧାନ ଚାଷ କରିଥିଲେ । ଫସଲ ଅମଳ ପରେ ଧାନ ବିକ୍ରି କରି ଋଣ ଶୁଝିବା ସହ ଘରର ଆବଶ୍ୟକତା ପୂରଣ କରିବା ଆଶା ରଖିଥିଲେ । ହେଲେ ମଣ୍ଡିରେ ଧାନ ବିକ୍ରି ପାଇଁ ଆବଶ୍ୟକ ଟୋକନ ଏପର୍ଯ୍ୟନ୍ତ ମିଳିନଥିବାରୁ ସେ ଚିନ୍ତାରେ ପଡ଼ିଛନ୍ତି । ଘରେ ଅସୁସ୍ଥ ମାଆଙ୍କ ଚିକିତ୍ସା ଓ ଜରୁରୀ ଖର୍ଚ୍ଚ ପାଇଁ ବାଧ୍ୟ ହୋଇ କିଛି ଧାନ କମ୍ ଦାମରେ ଖୋଲା ବଜାରରେ ବିକ୍ରି କରିଥିବା ବେଳେ ବାକି ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରିବା ଆଶାରେ ଅପେକ୍ଷା କରି ରହିଛନ୍ତି। ଗୋପାଳଙ୍କ କହିବା ଅନୁସାରେ, ଟୋକନ ପାଇଁ ସେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ସମସ୍ୟା ଜଣାଇଥିଲେ ମଧ୍ୟ କୌଣସି ସମାଧାନ ମିଳିନାହିଁ । ଚାଷ ପାଇଁ ହୋଇଥିବା ଋଣ ଓ ପ୍ରଶାସନିକ ନିରବତା ତାଙ୍କୁ ମାନସିକ ଚାପ ମଧ୍ୟରେ ପକାଇଛି । ଶେଷରେ ସେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଚରମ ପଦକ୍ଷେପ ସ୍ୱରୂପ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ସେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଧାନ ବିକ୍ରି ବ୍ୟବସ୍ଥାରେ ସୁଧାର ଓ ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି ଉଠିଛି ।

