ସନ୍ଦିଗ୍ଧ ମାଓବାଦୀ ନେଇ ଜଙ୍ଗଲରେ ଡ୍ରୋନରେ ସର୍ଚ୍ଚ ଅପରେସନ
ସୁନ୍ଦରଗଡ଼ : ସୁନ୍ଦରଗଡ ଜଙ୍ଗଲରେ ସନ୍ଦିଗ୍ଧ ମାଓବାଦୀ ଲୁଚିଥିବା ସନ୍ଦେହ କରାଯାଉଛି। ଏ ନେଇ ପୋଲିସ ଓ ବନ ବିଭାଗର ତନାଘନା ଆରମ୍ଭ ହୋଇଛି। ଡ୍ରୋନ ସାହାଯ୍ୟରେ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ। ଓଡିଶା, ପଡୋଶୀ ଝାଡଖଣ୍ଡ ଓ ଛଡିଶଗଡରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବାବେଳେ ବର୍ତ୍ତମାନ ସୁନ୍ଦରଗଡର କୁଲବା ଜଙ୍ଗଲରେ ଲୁଚିଥିବା ସନ୍ଦେହ କରାଯାଉଛି। ଗତ ୩ ଦିନ ତଳେ ସୁନ୍ଦରଗଡ କିଂଜିରକେଲା ଥାନା ଦେଓଭବନପୁର ନିକଟସ୍ଥ ସୀମାନ୍ତ ଗାଁରେ ରାତିରେ କିଛି ଯୁବକ ବୁଲୁଥିବା ଗ୍ରାମବାସୀ ଦେଖିଥିଲେ। ପୋଲିସକୁ ଖବର ଦେବା ପରେ ପୋଲିସ ଓ ଡିଭିଏଫ ସେହି ଅଂଚଳରେ ସର୍ଚ୍ଚ ଅପରେସନ କରିଥିଲେ । ଏହା ପରେ ପୁଣି କୁଲବା ଜଙ୍ଗଲ ନିକଟସ୍ଥ ଗ୍ରାମରେ କିଛି ବ୍ୟକ୍ତି କଳାରଙ୍ଗର ପୋଷାକ ପିନ୍ଧି ବ୍ୟାଗ ଧରି ବୁଲାବୁଲି କରୁଥିବା କିଛି ଯୁବକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ, ବନବିଭାଗ ଓ ଡିଭିଏଫ ପକ୍ଷରୁ ପାଟ୍ରୋଲିଂ କରାଯିବା ସହ କୁଲବା ଜଙ୍ଗଲରେ ଡ୍ରୋନ ସାହାଯ୍ୟରେ ତନାଘନା ଚାଲିଛି। ସନ୍ଦିଗ୍ଧ ଯୁବକ ମାନେ କିଏ କାହିଁକି ଏଠାରେ ବୁଲୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ଲୋକେ ଆତଙ୍କିତ ଥିବାରୁ ପୋଲିସ ଅପରେସନ ଜାରି ରଖିଛି।

