ମହାନଦୀ ଜଳ ବିବାଦ ଓଡ଼ିଶାର କ୍ଷତି ପାଇଁ ବିଜେଡି ଦାୟୀ: ବିରଞ୍ଚି
ଭୁବନେଶ୍ବର, ୨୫|୫: ମହାନଦୀ ଜଳ ବିବାଦ ମାମଲାର ଆପୋସ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମାଧାନର ବାଟ ଫିଟାଇବା ପାଇଁ ଉଭୟ ରାଜ୍ୟ ମଧ୍ୟରେ ବାରମ୍ବାର ଆଲୋଚନା ଜାରି ରହିଛି। ହେଲେ ପୂର୍ବ ସରକାର ସମୟରେ ବର୍ଷ ବର୍ଷ ଧରି ମହାନଦୀ ଟ୍ରିବ୍ୟୁନାଲରେ ମାମଲା ଗଡ଼ୁଥିବାେବଳେ କୌଣସି ସମାଧାର ବାଟ ବାହାରି ପାରି ନଥିଲା। ମହାନଦୀ ପ୍ରସଙ୍ଗରେ ଓଡ଼ିଶାର କ୍ଷତି ପାଇଁ ବିଜେଡି ଦାୟୀ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ। ବିଜେଡିର ୨୪ ବର୍ଷ ଶାସନ କାଳରେ ଏ ପ୍ରସଙ୍ଗ ନେଇ କୌଣସି ପଦକ୍ଷେପ ନ ନେବାରୁ ଆଜି ଓଡ଼ିଶାକୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ବିଧାନସଭାରେ ବିଜେପି ବିଧାୟକମାନେ ଏହି ପ୍ରସଙ୍ଗ ବାରମ୍ବାର ଉଠାଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ହେଁ ତତକାଳୀନ ବିଜେଡି ସରକାର ପ୍ରସଙ୍ଗକୁ ଟ୍ରିବ୍ୟୁନାଲକୁ ନେବା ପାଇଁ ଚାହିଁଥିଲା। ଏପରିକି ଟ୍ରିବ୍ୟୁନାଲକୁ ମଧ୍ୟ ପର୍ଯ୍ୟାପ୍ତ ତଥ୍ୟ ଦେଇ ନଥିଲେ ତତକାଳୀନ ସରକାର। ଏବେ ବିଜେପି ସରକାର ଟ୍ରିବ୍ୟୁନାଲକୁ ତଥ୍ୟ ଦେବା ସହ ସମସ୍ୟାକୁ ସମାଧାନ କରିବା ପାଇଁ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ଜାରି ରଖିଛି। ରାଜ୍ୟର ନାର୍ଯ୍ୟ ଦାବିକୁ ଗୁରୁତ୍ବ ଦେଇ କିଭଳି ପର୍ଯ୍ୟାପ୍ତ ଜଳ ଓଡ଼ିଶାକୁ ମିଳିବ ସେନେଇ ଆଲୋଚନା ଜାରି ରହିଛି। ଆମ ରାଜ୍ୟରେ କିଭଳି ମହାନଦୀ ଜଳର ସଦୁପୋଯୋଗ ହେବ ସେନେଇ ଚେଷ୍ଟା କରାଯାଉଥିବା ଶ୍ରୀ ତ୍ରିପାଠୀ କହିଛନ୍ତି।

