ମନରେଗାରେ ବଡ଼ ଧରଣର ଦୁର୍ନୀତି ୩୮ ଲକ୍ଷ ଠକେଇ, ଏଡିଓ ଓ ପିଇଓ ନିଲମ୍ବିତ
ଫୁଲବାଣୀ, ୨୪|୫: ମନରେଗା ଅଧୀନରେ ବଡ଼ ଧରଣର ଦୁର୍ନୀତି ହୋଇଥିବାବେଳେ ଏଡିଓ ଓ ପିଇଓଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ। ଏହାସହ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ପିଇଓ ସୁତନ୍ୟ ମହାକୁଡ଼ ଓ ଏଡିଓ କାଂଶିରାମ ଦିଗାଲଙ୍କୁ ସସପେଣ୍ଡ କରିଛନ୍ତି ଜିଲ୍ଲାପାଳ। କନ୍ଧମାଳ ଜିଲ୍ଲା କଟୋଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ ମନରେଗା ଯୋଜନା ଅଧୀନରେ ପୋଖରୀ ଖୋଳାରେ ହୋଇଥିଲା । ଏଥିରେ ବଡ଼ ଧରଣର ଠକେଇ ହୋଇଥିବା ନେଇ ଅଭିଯୋଗ କରାଯାଇଥିବାବେଳେ ଧରାକୋଟ ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ କୋଟଗଡ଼ ବ୍ଲକର ସହକାରୀ ଉନ୍ନୟନ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ। ଏହାଛଡ଼ା ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି। ଫଲ୍ସ ବିଲ କରି ଆତ୍ମସାଥ କରିଥିବା ଟଙ୍କା ସେମାନଙ୍କଠାରୁ ଆଦାୟ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏହାର ତଦନ୍ତ କରିଥିଲେ। ପୋଖରୀ ଖୋଳାରେ ୩୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଥିଲା। ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାର ତଦନ୍ତ ଚାଲିଛି ଏଥିରେ ଆଉ କେହି ସମ୍ପୃକ୍ତ ଥିବା ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ।

