Vernika Odiaଆନ୍ତର୍ଜାତୀୟ

ଫିଲିପାଇନ୍ସରେ ଝଡ଼ ତୋଫାନ ଭୁଶୁଡ଼ିଲା ନିର୍ମାଣାଧୀନ ୯ ମହଲା କୋଠା

ମାନିଲା, ୨୪|୫: ଫିଲିପାଇନ୍ସରେ ଝଡ଼ ତୋଫାନ ଯୋଗୁଁ ନିର୍ମାଣାଧୀନ ୯ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ରବିବାର ସକାଳେ ରାଜଧାନୀ ମାନିଲାର ଉତ୍ତରରେ ଅବସ୍ଥିତ ପାମ୍ପଙ୍ଗା ପ୍ରଦେଶର ଆଞ୍ଜେଲସ୍ ସହରରେ ପ୍ରବଳ ଝଡ଼ ତଫାନ ଯୋଗୁଁ ନିର୍ମାଣାଧୀନ ଏକ ୯ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି। ଦୁର୍ଘଟଣା ସମୟରେ ଅନେକ ଶ୍ରମିକ କୋଠାରେ ଉପସ୍ଥିତ ଥିଲେ। ସେମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି। ଯଦିଓ କିଛି ଶ୍ରମିକଙ୍କୁ ବାହାର କରାଯାଇଛି, କିନ୍ତୁ ବହୁ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି। ଭଗ୍ନାବଶେଷରେ ଫସି ରହିଥିବା ଶ୍ରମିକମାନଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। କୁହାଯାଉଛି, ଝଡ଼ ଯୋଗୁଁ ଏହି ନିର୍ମାଣାଧୀନ କୋଠାଟି ଭୁଶୁଡ଼ି ପଡ଼ିଛି। ଦୁର୍ଘଟଣା ବିଷୟରେ ସୂଚନା ଦେଇ ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀମାନେ କହିଛନ୍ତି ଯେ, ୨୨ ଜଣ ଶ୍ରମିକ ବାହାରକୁ ବାହାରିବାରେ ସଫଳ ହୋଇଛନ୍ତି, କିନ୍ତୁ ଅନେକ ଏବେ ବି ନିଖୋଜ ଅଛନ୍ତି। ପୋଲିସ ବ୍ରିଗେଡିୟର ଜେନେରାଲ ଜେସ୍ ମେଣ୍ଡେଜ୍ କହିଛନ୍ତି, ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗର ୧୦୦ ରୁ ଅଧିକ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। କେତେ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି ସେନେଇ କୌଣସି ସଠିକ୍ ସୂଚନା ମିଳିନାହିଁ। ଆଞ୍ଜେଲସ୍ ସିଟି ସୂଚନା କାର୍ଯ୍ୟାଳୟ ମୁଖ୍ୟ ଜୟ ପେଲାୟୋ କହିଛନ୍ତି କୋଠା ଭୁଶୁଡ଼ି ପଡ଼ିବା ସମୟରେ ବାହାରକୁ ପଳାଇ ଆସିବାରେ ସଫଳ ହୋଇଥିବା ଜଣେ ନିର୍ମାଣ ଶ୍ରମିକଙ୍କ ଅନୁସାରେ ଅତି କମରେ ୩୦ ଜଣ ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *