ଆମେରିକା ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
ୱାଶିଂଟନ, ୨୩|୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତଥା ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ତୁଳସୀ ଗାବାର୍ଡ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସ୍ୱାମୀ ଆବ୍ରାହମ୍ ୱିଲିୟମ୍ସ ଏକ ବିରଳ ପ୍ରକାରର ଅସ୍ଥି କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ତୁଳସୀ ଏହି ନିଷ୍ପତ୍ତି ନେଇଛନ୍ତି। ତୁଳସୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଇସ୍ତଫା ପତ୍ର ସେୟାର କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ମୋର ସ୍ୱାମୀ ଆବ୍ରାହମ୍ ନିକଟରେ ଏକ ଅତ୍ୟନ୍ତ ବିରଳ ପ୍ରକାରର ବୋନ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନଗୁଡ଼ିକରେ ତାଙ୍କୁ ଏକ ବଡ଼ ଆହ୍ୱାନର ସାମ୍ନା କରିବାକୁ ପଡ଼ିବ। ଏଭଳି କଠିନ ସମୟରେ ମୋତେ ସରକାରୀ ସେବାରୁ ଦୂରେଇ ରହି ତାଙ୍କ ପାଖରେ ରହିବାକୁ ହେବ ଏବଂ ଏହି ଲଢ଼େଇରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପଡ଼ିବ।

