ଜାତୀୟତାଜା ଖବର

ଗୋଟିଏ ମଞ୍ଚରେ ଉପସ୍ଥିତ ରହିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜୁନ ୨୦ ମୟୂରଭଞ୍ଜ ମାଟି ପାଇଁ ଐତିହାସିକ ଦିନ, ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ବୁଲିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଏକାଥରକେ ଆସୁଛନ୍ତି ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ। ଆସନ୍ତା ୨୦ ତାରିଖ ମୟୂରଭଞ୍ଜ ମାଟି ପାଇଁ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏଥର ରାଷ୍ଟ୍ରପତିଙ୍କ ଗସ୍ତ ଟିକେ ନିଆରା, ଟିକେ ଭିନ୍ନ। ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଲିବେ ରାଷ୍ଟ୍ରପତିଙ୍କ ଗାଁ। ଲୋକଙ୍କ ସହ ଅତି ପାଖରୁ ମିଶିବେ। ଆଉ ଜାଣିବେ ରାଷ୍ଟ୍ରପତିଙ୍କ ଗାଁର ଚଳଣି, ରହଣି। ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଷ୍ଟ୍ରପତିଙ୍କ ଗାଁ ରାଇରଙ୍ଗପୁର । ଜୁନ ୨୦ ତାରିଖରେ ଦେଶର ଦୁଇ ଶୀର୍ଷ ମୁଖ୍ୟ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଠି ରାଇରଙ୍ଗପୁରର ଦାଣ୍ଡବୋଷଠାରେ ଗୋଟିଏ ମଞ୍ଚରେ ଉପସ୍ଥିତ ରହିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ସମଗ୍ର ମୟୂରଭଞ୍ଜ ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଏହା ସହିତ ବିଜେପି ଶିବିରରେ ମଧ୍ୟ ଖୁସିର ଲହରି। ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ବଦଳରେ ମୟୂରଭଞ୍ଜଠାରେ ସରକାରୀ ସ୍ତରୀୟ କାର୍ଯ୍ୟକ୍ରମ ଏବଂ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯାହା ଜିଲ୍ଲା ପାଇଁ ଏକ ଅତ୍ୟନ୍ତ ଗର୍ବର ବିଷୟ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୦ ତାରିଖ ପୂର୍ବାହ୍ନ ଠିକ୍ ୧୧ଟା ସମୟରେ ରାଷ୍ଟ୍ରପତିଙ୍କ ଗ୍ରାମ ପାହାଡ଼ପୁର ନିକଟ ଦିଘାସାହି ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରୁ ସଡକ ପଥରେ ପାହାଡପୁର ଗାଁରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏଠାରେ ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଚାରୋଟି ସ୍ଥାନ ପରିଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ତା ପରେ ସ୍ଥାନୀୟ କୋହ୍ଲ ସମ୍ପ୍ରଦାୟର ପୂଜାସ୍ଥଳୀ ‘ଜାହିରା’ ପରିଦର୍ଶନ, ସାନ୍ତାଳ ସମ୍ପ୍ରଦାୟର ଅନ୍ୟ ଏକ ‘ଜାହିରା’ ପରିଦର୍ଶନ । ସେଠାରେ ପ୍ରଣାମ ଜଣାଇବେ ପରେ ଗ୍ରାମ ମଝିରେ ଥିବା ପୂଜାସ୍ଥଳ ‘ଗୋସାଣି’କୁ ପରିଦର୍ଶନ କରିବେ। ଏହା ବ୍ୟତୀତ ପାହାଡପୁର ଠାରେ ଅବସ୍ଥିତ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟରରେ ତାଲିମ ପ୍ରାପ୍ତ କରି ବାହାରେ ଚାକିରି କରୁଥିବା ଶିକ୍ଷାର୍ଥୀମାନଙ୍କ ସହ ଏବଂ ଏସ୍‌.ଏଲ୍‌.ଏସ୍. ଟ୍ରଷ୍ଟ ସ୍କୁଲ ପରିସରରେ ଆୟୋଜିତ ସ୍ଥାନୀୟ ଉତ୍ପାଦ ପ୍ରଦର୍ଶନୀ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୟୂରଭଞ୍ଜ ସମେତ ସମଗ୍ର ଓଡ଼ିଶାର ବିକାଶ ପାଇଁ କୋଟି କୋଟି ଟଙ୍କାର ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *