ବିମାନବନ୍ଦରରୁ ୪ କୋଟିର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
ମୁମ୍ବାଇ: ବିମାନ ବନ୍ଦରରୁ ୪ କୋଟିର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ବ୍ୟାଙ୍କକରୁ ଅହମ୍ମଦାବାଦ ଆସୁଥିବାବେଳେ ବିମାନବନ୍ଦରରେ କଷ୍ଟମ୍ସ ଅଧିକାରୀମାନେ ଜଣଙ୍କୁ ଧରିଥିଲେ। ତାଙ୍କ ଟ୍ରଲି ବ୍ୟାଗରୁ ପ୍ରାୟ ୪ କୋଟି ଟଙ୍କା ମୂଲ୍ୟର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି । ବ୍ୟାଙ୍କକରୁ ଆସିଥିବା TG-343 ବିମାନରେ ଅହମ୍ମଦାବାଦ ପହଞ୍ଚିଥିବା ଉଲ୍ହାସନଗରର ଏହି ଯାତ୍ରୀଙ୍କ ଚାଲିଚଳନ କଷ୍ଟମ୍ସର ଏୟାର ଇଣ୍ଟେଲିଜେନ୍ସ ୟୁନିଟକୁ ସନ୍ଦେହଜନକ ଲାଗିଥିଲା । ତେଣୁ ତାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ବ୍ୟାଗ ଭିତରେ ଅନେକ ଫୁଡ୍ ପ୍ୟାକେଟ୍ ଥିଲା । ବାହାରୁ ଦେଖିଲେ ସାଧାରଣ ସ୍ନାକ୍ସ ଭଳି ଲାଗୁଥିଲା କିନ୍ତୁ ପ୍ୟାକେଟ୍ ଖୋଲିବା ପରେ ସେଥିରୁ ୨୨ଟି ପଲିଥିନ୍ ପ୍ୟାକେଟ୍ ବାହାରିଥିଲା । ପରୀକ୍ଷା ପରେ ସେଥିରେ ୪.୨୭୬ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଥିବା ଜଣାପଡ଼ିଥିଲା। କଷ୍ଟମ୍ସ ବିଭାଗ ସମସ୍ତ ନିଶାଦ୍ରବ୍ୟକୁ ଏନ୍ଡିପିଏସ୍ ଆଇନ ଅନୁସାରେ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଖୋଜୁଛି ଯେ ଅଭିଯୁକ୍ତ କେବଳ ନିଶାଦ୍ରବ୍ୟ ବହନକାରୀ ଥିଲେ ନା ଏକ ବଡ଼ ଆନ୍ତର୍ଜାତିକ ଡ୍ରଗ୍ସର ସଦସ୍ୟ। ଏହି ନିଶାଦ୍ରବ୍ୟ କାହା ପାଖକୁ ପହଞ୍ଚିବାର ଥିଲା ଏବଂ ଏହା ପଛରେ କେଉଁମାନେ ଜଡ଼ିତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି । ହାଇଡ୍ରୋପୋନିକ୍ ଗଞ୍ଜେଇ ସାଧାରଣ ଗଞ୍ଜେଇ ତୁଳନାରେ ଅଧିକ ଦାମୀ ଓ ଅଧିକ ନିଶାଯୁକ୍ତ ବୋଲି ଧରାଯାଏ । ସେଥିପାଇଁ ଆନ୍ତର୍ଜାତିକ ଡ୍ରଗ୍ସ ଚକ୍ର ଏହାକୁ ଚୋରାଚାଲାଣ କରିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛନ୍ତି । ଏଥର ଫୁଡ୍ ପ୍ୟାକେଟ୍ ଭିତରେ ଲୁଚାଇ ଆଣିବାର ଚେଷ୍ଟା କରାଯାଇଥିଲେ ମଧ୍ୟ କଷ୍ଟମ୍ସ ଅଧିକାରୀଙ୍କ ସତର୍କତା ଯୋଗୁଁ ଏହା ବିଫଳ ହୋଇଛି ।

