ରାଜଧାନୀରେ ପୁଣି ବୁଲିଲା ବୁଲ୍ଡୋଜର୍ କାର୍ଗିଲ ବସ୍ତିରୁ ଅବୈଧ ନିର୍ମାଣ ଉଚ୍ଛେଦ
ଭୁବନେଶ୍ଵର, ୩୦|୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଚାଲିଲା ବୁଲ୍ଡୋଜର୍। ମାଟିରେ ମିଶିଲା କାର୍ଗିଲ ବସ୍ତିର ଅବୈଧ ନିର୍ମାଣ। ପଳାସପଲ୍ଲୀରୁ ପୋଖରୀପୁଟ ସଂଯୋଗ କରୁଥିବା ୭୦ ଫୁଟିଆ ୪-ଲେନ୍ ରାସ୍ତା ନିର୍ମାଣ ପାଇଁ ଆଜି ପ୍ରଶାସନ ତରଫରୁ ନିଆଯାଇଛି ଏକ ବଡ଼ ଆକ୍ସନ। ଦୀର୍ଘ ଦିନ ଧରି ସରକାରୀ ଜମିକୁ ଜବରଦଖଲ କରି ଗଢ଼ି ଉଠିଥିବା ପ୍ରାୟ ୨୦ରୁ ଅଧିକ ଘର ଏବଂ ଦୋକାନ ବଜାରକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଙ୍ଗ କମିଟିର ଏହି ମେଗା ଡ୍ରାଇଭ୍ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ରାଜଧାନୀରେ ସ୍ମାର୍ଟ ରୋଡ୍ କନେକ୍ଟିଭିଟିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ପଳାସପଲ୍ଲୀରୁ ପୋଖରୀପୁଟ ମଧ୍ୟରେ ୭୦ ଫୁଟିଆ ଚାରି ଲେନ୍ ବିଶିଷ୍ଟ ପ୍ରଶସ୍ତ ରାସ୍ତା ନିର୍ମାଣ ହେବାକୁ ଯାଉଛି। ହେଲେ ଏହି ବିକାଶମୂଳକ କାର୍ଯ୍ୟ ପଥରେ କାର୍ଗିଲ ବସ୍ତି ଅଞ୍ଚଳରେ ଥିବା ଜବରଦଖଲ ବାଧା ସାଜିଥିଲା। ସରକାରୀ ଜମି ମାଡ଼ି ବସି ଅବୈଧ ଘର ଏବଂ ଦୋକାନ ବେଆଇନ ଭାବେ ଗଢ଼ି ଉଠିଥିଲା। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଙ୍ଗ କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳୁ ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା।

