ଜାତୀୟତାଜା ଖବର

ଜଙ୍ଗଲରେ ନିଆଁ ଲଗାଇ ପ୍ରମାଣ ନଷ୍ଟ କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି: ଜଙ୍ଗଲରେ ନିଆଁ ଲଗାଇ ପ୍ରମାଣ ନଷ୍ଟ କରୁଛନ୍ତି ମାଫିଆ। ଗଜପତି କିଚିଲିଙ୍ଗ ସଂରକ୍ଷିତ ଜଙ୍ଗଲରେ ବନ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବାବେଳେ ସନ୍ଦେହ ଘେରରେ ବନ ବିଭାଗ। ଗଜପତି ଜିଲ୍ଲାର ପ୍ରସିଦ୍ଧ କିଚିଲିଙ୍ଗ ସଂରକ୍ଷିତ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକର ଏକର ବ୍ୟାପୀ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ଶହ ଶହ ମୂଲ୍ୟବାନ ବୃକ୍ଷ ଏବଂ ଜୀବଜନ୍ତୁ ଜଳିପୋଡ଼ି ପାଉଁଶ ହୋଇଯାଇଛନ୍ତି। ତେବେ ଏହି ଅଗ୍ନିକାଣ୍ଡ ପ୍ରାକୃତିକ ନୁହେଁ, ବରଂ ଗଛ କଟା ଚୋରା ଚାଲାଣର ପ୍ରମାଣ ନଷ୍ଟ କରିବା ପାଇଁ ବନ ମାଫିଆମାନେ ଯୋଜନାବଦ୍ଧ ଭାବେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଓ ପରିବେଶପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ଅନୁଯାୟୀ, ଜଙ୍ଗଲରୁ ପ୍ରଥମେ ରକ୍ତ ଚନ୍ଦନ, ଶାଳ ଏବଂ ଶାଗୁଆନ ଭଳି କୋଟି କୋଟି ଟଙ୍କାର ମୂଲ୍ୟବାନ ଗଛ କାଟି ଚୋରାଚାଲାଣ କରାଯାଇଛି । ଏହା ପରେ ବେଆଇନ ଗଛ କଟାର ଚିହ୍ନ ବା ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଇଛି । ଏହି କାରଣରୁ ଜଙ୍ଗଲର ବ୍ୟାପକ ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନ ଗୁରୁତର ଭାବେ ବିପନ୍ନ ହୋଇପଡ଼ିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଫରେଷ୍ଟ ବିଟ୍ ହାଉସର ଅଳ୍ପ କିଛି ଦୂରରେ ଏଭଳି ବଡ଼ ଧରଣର ଅଘଟଣ ଘଟିଛି । ବିଶେଷ କରି ସ୍ୱତନ୍ତ୍ର ରକ୍ତ ଚନ୍ଦନ ଜଙ୍ଗଲର ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା ଥିବା ସତ୍ତ୍ୱେ ମାଫିଆମାନେ କେମିତି ଗଛ କାଟି ନିଆଁ ଲଗାଇଦେଲେ, ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ତଦାରଖ ବ୍ୟବସ୍ଥାର ଶିଥିଳତାକୁ ନେଇ ସନ୍ଦେହ ଦୃଢ଼ ହେବାରେ ଲାଗିଛି । ଏହି ସମ୍ବେଦନଶୀଳ ଘଟଣା ପରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶପ୍ରେମୀମାନେ ତତ୍କାଳ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *