ବାଟବଣା ହୋଇଗଲା ମୌସୁମୀ ସାଟେଲାଇଟ ଚିତ୍ରରେ ଦେଖାଯାଉ ନାହିଁ ବାଦଲ ଦେଶରେ ୬୪% ବର୍ଷା ଅଭାବ
ନୂଆଦିଲ୍ଲୀ() ଜୁନ୍ ମାସ ଅଧା ବିତିଗଲାଣି, କିନ୍ତୁ ଭାରତର ଜୀବନରେଖା କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏକ ଚିନ୍ତାଜନକ ଓ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି । ସାଟେଲାଇଟ୍ ଚିତ୍ର ଏବଂ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ତଥ୍ୟ ଅନୁସାରେ, ଦେଶର ଏକ ବଡ଼ ଭାଗରେ ମୌସୁମୀ ହଠାତ୍ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ମହାକାଶରୁ ନିଆଯାଇଥିବା ଫଟୋରେ ମୌସୁମୀର ସେହି ପାରମ୍ପରିକ ବାଦଲଘେରା ରୂପ ସମ୍ପୂର୍ଣ୍ଣ ଗାଏବ ଥିବା ନଜର ଆସୁଛି। ପରିସ୍ଥିତି ଏତେ ଗମ୍ଭୀର ଯେ, ଜୁନ୍ ମାସର ପ୍ରଥମ ଦୁଇ ସପ୍ତାହରେ ଦେଶବ୍ୟାପୀ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ଯଥେଷ୍ଟ ତଳକୁ ଖସି ଆସିଛି । ଏହାଫଳରେ ଖରିଫ୍ ଫସଲର ବୁଣାବୁଣି ଏବଂ ଜଳର ଉପଲବ୍ଧତା ଉପରେ ସଙ୍କଟର କଳାବାଦଲ ଘେରିବାରେ ଲାଗିଛି। ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ସମୁଦ୍ରରେ ଆଦ୍ରତା ବା ଜଳୀୟବାଷ୍ପର କୌଣସି ଅଭାବ ନାହିଁ, କିନ୍ତୁ ବାୟୁମଣ୍ଡଳରେ ପବନର ଏକ ଅଜବ ବ୍ୟବହାର ମୌସୁମୀର ଗତିପଥକୁ ସମ୍ପୂର୍ଣ୍ଣ ରୋକି ଦେଇଛି । ଆଇଏମଡି ଦ୍ୱାରା ଜୁନ୍ ୪ ରୁ ଜୁନ୍ ୧୫ ମଧ୍ୟରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଏହି ସମୟ ମଧ୍ୟରେ ସାରା ଦେଶରେ ମାତ୍ର ୧୯.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯେଉଁଠି ସ୍ୱାଭାବିକ ଭାବେ ୫୩.୭ ମିଲିମିଟର ବର୍ଷା ହେବା କଥା । ଏହାର ଅର୍ଥ ହେଉଛି ଦେଶ ବର୍ତ୍ତମାନ ୬୪% ବର୍ଷା ଅଭାବର ସମ୍ମୁଖୀନ ହେଉଛି । ଆଇଏମଡିର ମାନଚିତ୍ରରେ ମଧ୍ୟ ଭାରତର କେନ୍ଦ୍ରୀୟ, ଦକ୍ଷିଣ ଏବଂ ପୂର୍ବ ଭାଗ ହଳଦିଆ ଓ ନାଲି ରଙ୍ଗରେ ରଙ୍ଗାଯାଇଛି, ଯାହା ମରୁଡ଼ି ସଦୃଶ ପରିସ୍ଥିତିକୁ ଦର୍ଶାଉଛି । ୧୫ ଜୁନ୍ରେ ସାଟେଲାଇଟରୁ ନିଆଯାଇଥିବା ଚିତ୍ର ସବୁଠାରୁ ଆଶ୍ଚର୍ଯ୍ୟଜନକ କରିଛି। ସାଧାରଣତଃ ଏହି ସମୟରେ ଯେଉଁ ମାନଚିତ୍ର ଧଳା ବାଦଲରେ ଆଚ୍ଛାଦିତ ରହୁଥିଲା, ତାହା ଏଥର ସମ୍ପୂର୍ଣ୍ଣ ଶୁଖିଲା ଓ ସ୍ପଷ୍ଟ ଦେଖାଯାଉଛି ।
ପାଣିପାଗ ବିଜ୍ଞାନୀଙ୍କ ମତରେ, ଏହା ସମୁଦ୍ରର ତାପମାତ୍ରା କାରଣରୁ ନୁହେଁ, ବରଂ ବାୟୁମଣ୍ଡଳର ଉପରିଭାଗରେ ଚାଲିଥିବା ପବନର ‘ଯୁଦ୍ଧ’ ଯୋଗୁଁ ହେଉଛି । ବର୍ତ୍ତମାନ ଆକାଶର ଉପରି ଭାଗରେ ପ୍ରବାହିତ ‘ୱେଷ୍ଟର୍ଲି ଜେଟ୍ ଷ୍ଟ୍ରିମ୍’ ବା ପଶ୍ଚିମା ପବନ ନିଜର ସ୍ୱାଭାବିକ ସ୍ଥାନରୁ ବହୁତ ଦକ୍ଷିଣକୁ ଖସି ଆସିଛି । ଏହା ମୌସୁମୀର ମୁଖ୍ୟ ଇଞ୍ଜିନ କୁହାଯାଉଥିବା ‘ଇଷ୍ଟର୍ଲି ଜେଟ୍’ ବା ପୂର୍ବା ପବନର ପଥରେ ପ୍ରତିବନ୍ଧକ ସାଜିଛି । ସାଧାରଣତଃ ପୂର୍ବା ପବନ ଭାରତ ଉପରେ ବାୟୁକୁ ଉପରକୁ ଟାଣିଥାଏ, ଯାହାଦ୍ୱାରା ବାଦଲ ସୃଷ୍ଟି ହୁଏ । କିନ୍ତୁ ଶକ୍ତିଶାଳୀ ପଶ୍ଚିମା ପବନ ଏହି ପ୍ରକ୍ରିୟାକୁ ଚାପି ଦେଉଛି। ଫଳରେ ଆରବ ସାଗର ଓ ବଙ୍ଗୋପସାଗରରେ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ଥିଲେ ମଧ୍ୟ ତାହା ବର୍ଷା ରୂପରେ ସ୍ଥଳଭାଗରେ ବରଷି ପାରୁନାହିଁ ।ଏବେ ମୌସୁମୀ ଦୁର୍ବଳ ହୋଇପଡ଼ିଥିବାବେଳେ ଯେମିତି ଏହି ବାଧା ହଟିବ, ମୌସୁମୀ ପୁଣି ସକ୍ରିୟ ହୋଇଉଠିବ । ଜୁନ୍ ଶେଷ ସପ୍ତାହରେ ପବନର ଗତି ବଦଳିବ ଏବଂ ସାରା ଦେଶରେ ପୁଣିଥରେ ବର୍ଷାର ଦ୍ୱିତୀୟ ପାଳି ଆରମ୍ଭ ହେବ ବୋଲି ଆଶା କରାଯାଉଛି।

