ଓୟୁଟିଆର ଫି ବଢ଼ାଇବାକୁ ପ୍ରସ୍ତାବ: ନିୟମିତ ପ୍ରୋଗ୍ରାମରେ ୨୫ ହଜାର, ଏସ୍ଏସ୍ପିରେ ୫୪ ହଜାର ବଢ଼ାଇବେ
ଭୁବନେଶ୍ୱର, ୨୩|୫ : ଖୁବଶୀଘ୍ର ବଢ଼ିପାରେ ଓୟୁଟିଆର ପାଠପଢ଼ା ଫି । ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ- ଓୟୁଟିଆରର ଫି ବୃଦ୍ଧି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୨ ବର୍ଷ ପରେ ଓୟୁଟିଆର ଫି ବୃଦ୍ଧି ନେଇ ପ୍ରସ୍ତାବ ଦିଆଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ଉପରେ ବଢ଼ିପାରେ ଆର୍ଥିକ ଭାର। ଓୟୁଟିଆରର ପାଠପଢ଼ା ଫି ପାଖାପାଖି ଦୁଇ ଗୁଣା ଫି ବୃଦ୍ଧି କରିବାକୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗକୁ ପ୍ରସ୍ତାବ ଦେଇଛି ବିଶ୍ୱବିଦ୍ୟାଳୟ । ଓୟୁଟିଆର୍ ରେଗୁଲାର ପାଠ୍ୟକ୍ରମରେ ସମସ୍ତ ଫିକୁ ମିଶାଇ ମୋଟ ୪୫ ହଜାର ୪୨୦ ଟଙ୍କା ଥିବା ବେଳେ ଏହାକୁ ୭୧ ହଜାର ୨୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ୍ ୨୫ ହଜାର ୬୦୦ ଟଙ୍କା ବୃଦ୍ଧି ହେବ । ସେହିପରି ଏସ୍ଏସ୍ପି ମୋଡ୍ ପ୍ରୋଗ୍ରାମରେ ଆଗରୁ ସମସ୍ତ ଫି ମିଶି ପଢ଼ିବା ପାଇଁ ପିଲାମାନେ ୯୦ ହଜାର ୨୦ଟଙ୍କା ଦେଉଥିବା ବେଳେ ଏହାକୁ ୧ ଲକ୍ଷ ୪୪ ହଜାର ୨୦ ଟଙ୍କା ବୃଦ୍ଧି କରିବାକୁ ବିଭାଗକୁ ପ୍ରସ୍ତାବ ଦେଇଛି ବିଶ୍ୱବିଦ୍ୟାଳୟ । ଅର୍ଥାତ୍ ୫୪ ହଜାର ଟଙ୍କା ବଢ଼ିବ । ବିଭାଗ ଏହି ଚିଠି ଗ୍ରହଣ କରିଛି। ଏହା ବାବଦରେ ଆସନ୍ତା ବୈଠକରେ ଆଲୋଚନା କରାଯିବ ବୋଲି ବିଭାଗ କହିଛି। ଏନେଇ ବିଭାଗ ପକ୍ଷରୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟକୁ ପଠାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି, ୨୦୨୨- ୨୩ ଶିକ୍ଷାବର୍ଷରେ ୟୁଜି, ପିଜିରେ ମୋଟ ୩୯୪୮ଜଣ ଛାତ୍ରଛାତ୍ରୀ ପଢ଼ିଛନ୍ତି । ସେହିପରି ୨୦୨୩-୨୪ ଶିକ୍ଷାବର୍ଷରେ ୪୪୩୬ ଓ ୨୦୨୪-୨୫ରେ ୫୦୮୦ ଜଣ ପିଲା ନାମ ଲେଖାଇଛନ୍ତି । ବିଶ୍ୱବିଦ୍ୟାଳୟ ପାଇଁ ୧୮୪ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବି ଥିବା ବେଳେ ମାତ୍ର ୮୮ଜଣ କାର୍ଯ୍ୟରତ ଅଛନ୍ତି । ଆହୁରି ୧୦୦ ଶିକ୍ଷକ ପଦବିର ଅଭାବ ରହିଛି । ଏହି ଖାଲି ପଦବିକୁ ବିଶ୍ୱବିଦ୍ୟାଳୟ ଠିକା ତଥା ଅତିଥି ଅଧ୍ୟାପକ ନିଯୁକ୍ତି କରି ପରିଚାଳନା କରୁଛି । ଗୁଣାତ୍ମକ ପାଠପଢ଼ା ପାଇଁ ଏପରିକି ବାହାରୁ ନିମନ୍ତ୍ରିତ ଅଧ୍ୟାପକଙ୍କୁ ଆଣିବାକୁ ପଡୁ଼ଛି । ଫଳରେ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ବୋଝ ବଢ଼ୁଛି । ଫଳରେ ପୂର୍ବ ନିର୍ଦ୍ଧାରିତ ଫିକୁ ପରିବର୍ତ୍ତନ କରିବାକୁ ଚାହୁଁଛୁ ବୋଲି ଓୟୁଟିଆର୍ ପକ୍ଷରୁ କୁହାଯାଇଛି । ଲାବୋରାଟୋରୀ ଉନ୍ନତି, ଉନ୍ନତି ଫି ଆଦି ବଢ଼ିବା ମଧ୍ୟ ନ୍ୟାୟ ସଂଗତ ବୋଲି ଓୟୁଟିଆର୍ ଯୁକ୍ତି ବାଢ଼ିଛି। ରେଗୁଲାର କୋର୍ସରେ ବିଟେକ୍, ବି ଆର୍କ, ବି ପ୍ଲାନ୍, ଏମ୍ସିଏ, ଏମ୍ଟେକ୍, ଏମ୍ ପ୍ଲାନ୍, ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି, ଏମ୍ଏସ୍ସି, ବିଟେକ୍ (ଲାଟେରାଲ ଏଣ୍ଟ୍ରି) ର ଫି ବୃଦ୍ଧି କରିବାକୁ ପ୍ରସ୍ତାବ ଯାଇଛି । ଏଥିରେ ଟ୍ୟୁସନ୍ ଫି ଦୁଇ ଗୁଣା ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି । ଆଗରୁ ୧୨ ହଜାର ଟଙ୍କା ଥିବା ବେଳେ ଏହାକୁ ୨୫ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି । ଉନ୍ନତି ଫି ମଧ୍ୟ ପୂର୍ବରୁ ୭ହଜାର ଟଙ୍କା ଥିବା ବେଳେ ଏହାକୁ ୧୫ ହଜାର ଟଙ୍କା କରାଯିବ । ଲ୍ୟାବ୍ ପରିଚାଳନା ପାଇଁ ୧୫୦୦ ଟଙ୍କା ଥିବା ବେଳେ ଏହାକୁ ୩୦୦୦ ଟଙ୍କା, ଷ୍ଟୁଡେଣ୍ଟ ଆକ୍ଟିଭିଟି ଫି ୧୫୦୦ରୁ ୨୦୦୦ଟଙ୍କାକୁ ବୃଦ୍ଧି ହେବ । ସେହିପରି ଇଣ୍ଟରନାଲ ପରୀକ୍ଷା ଫି ୧୮୦୦ରୁ ୨୦୦୦ ଟଙ୍କା, ସାଇଟ୍ ଭିଜିଟ୍ ୬୦୦ରୁ ୧୦୦୦ ଟଙ୍କା, ବିଶ୍ୱବିଦ୍ୟାଳୟ ପଞ୍ଜୀକରଣ, ପ୍ରଥମ ସେମିଷ୍ଟର, ଉନ୍ନୟନ ମୂଳକ, ପାଠ୍ୟକ୍ରମ, ଗବେଷଣା ବିକାଶ, କ୍ରୀଡ଼ା, ସାଂସ୍କୃତିକ ଓ ଇନ୍ସ୍ୟୁରାନ୍ସ ଫି ୫ହଜାରରୁ ୬୦୦୦ ଟଙ୍କା ଏବଂ ସମାବର୍ତ୍ତନ ଫି ୧୫୦୦ ଟଙ୍କାରୁ ୨୫୦୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଯାଇଛି। ସେହିପରି ଏସ୍ଏସ୍ପି ପ୍ରୋଗ୍ରାମରେ ବିଟେକ୍, ଏମ୍ ଟେକ୍, ବିଟେକ୍ (ଲାଟେରାଲ ଏଣ୍ଟ୍ରି), ଏମ୍ବିଏର ଫି ବୃଦ୍ଧି ହେବ । ଯେଉଁଥିରେ ଟ୍ୟୁସନ୍ ଫି ୪୫୦୦୦ ଟଙ୍କାରୁ ୮୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଉନ୍ନତି ଫି ମଧ୍ୟ ପୂର୍ବରୁ ୧୫ହଜାର ଟଙ୍କା ଥିବା ବେଳେ ଏହାକୁ ୩୦ ହଜାର ଟଙ୍କା କରାଯିବ । ଲ୍ୟାବ୍ ପରିଚାଳନା ପାଇଁ ୩୦୦୦ ଟଙ୍କା ଥିବା ବେଳେ ଏହାକୁ ୫୦୦୦ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ବିଶ୍ୱବିଦ୍ୟାଳୟ ପଞ୍ଜିକରଣ, ପ୍ରଥମ ସେମିଷ୍ଟର, ଉନ୍ନୟନ ମୂଳକ, ପାଠ୍ୟକ୍ରମ, ଗବେଷଣା ବିକାଶ, କ୍ରୀଡ଼ା, ସାଂସ୍କୃତିକ ଓ ଇନ୍ସ୍ୟୁରାନ୍ସ ଫି ୫ହଜାରରୁ ୬୦୦୦ ଟଙ୍କା ଏବଂ ସମାବର୍ତ୍ତନ ଫି ୧୫୦୦ ଟଙ୍କାରୁ ୨୫୦୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଯାଇଛି।

