ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା, ୧୭ ଅଭିଯୁକ୍ତଙ୍କ ଜାମିନ ଖାରଜ କଲେ ହାଇକୋର୍ଟ
କଟକ, ୨୩|୫ : ପୋଲିସ୍ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ୧୭ ଅଭିଯୁକ୍ତଙ୍କ ଜାମିନ୍ ଖାରଜ ହୋଇଯାଇଛି। ଜାମିନ ଆବଦେନ ଖାରଜ କରିଛନ୍ତି ହାଇକୋର୍ଟ । ମୁନା ମହାନ୍ତିଙ୍କୁ ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନରେ ରହିଥିବା ବେଳେ ୨୧ ଦିନ ମଧ୍ୟରେ ଆତ୍ମସର୍ମପଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଅଭିଯୁକ୍ତ ଟି.ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ଶ୍ରୀକାନ୍ତ ମହାରଣା, ଲୋକନାଥ ସାହୁ, ସାଗର କୁମାର ଗୌଡ଼, ତଫିମ ଅହମ୍ମଦ ଖାନ, ସୁରେଶ ଚନ୍ଦ୍ର ନାୟକ ଏବଂ ଅନ୍ୟମାନେ ଜାମିନ ଆବେଦନ କରିଥିଲେ । ଏହାକୁ ଖାରଜ କରିଛନ୍ତି ହାଇକୋର୍ଟ । ପ୍ରଶ୍ନପତ୍ର ପ୍ରଘଟ ଭଳି ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ରହିଥିବାରୁ ଏବଂ ସେମାନେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଥିବାରୁ ଅଦାଲତ ଜାମିନ୍ ଦେବା ଲାଗି ମନା କରି ଦେଇଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏହି ଆଦେଶ ଦେଇଛନ୍ତି। ଅପରପକ୍ଷରେ ଏହି ମାମଲାରେ ଚିକିତ୍ସା ପାଇଁ ଜାମିନ୍ରେ ଥିବା ମୁନା ମହାନ୍ତିର ଅନ୍ତରୀଣ ସୁରକ୍ଷା ଆଉ ବଢ଼ାଯିବ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ଚିକିତ୍ସା ଓ ବିଶ୍ରାମ ନେବାର ୨୧ ଦିନ ପରେ ମୁନା ମହାନ୍ତି ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ୍ ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ସିବିଆଇ ବହୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ପ୍ରାଥମିକ ପ୍ରମାଣ ନାହିଁ । ସେମାନେ ଇତିମଧ୍ୟରେ ୭ରୁ ୮ମାସ ଜେଲ୍ରେ କଟାଇ ସାରିଲେଣି। ଚାର୍ଜସିଟ୍ ମଧ୍ୟ ଦାଖଲ ସରିଛି । ତେଣୁ ଜାମିନ୍ ଦିଆଯାଉ । କିନ୍ତୁ ଏହାକୁ ସିବିଆଇ ବିରୋଧ କରିଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ଥିବା ଦର୍ଶାଯାଇଥିଲା । ହାଇକୋର୍ଟ କହିଛନ୍ତି, ଅଭିଯୁକ୍ତମାନେ ଯାହା କରିଛନ୍ତି ତାହା ସମାଜ ବିରୋଧରେ ଅପରାଧ । ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିଲେ ହେଁ ଜାମିନ୍ ପାଇଁ ଯଥେଷ୍ଟ ନୁହେଁ । ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଥିଲେ ।

