ଯୁକ୍ତ ୨ ପାଇଁ ବିଜ୍ଞପ୍ତି ପ୍ରକାଶ ଜୁଲାଇ ୯ରୁ ୧୫ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର, ୨୩|୫: ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ ଯୁକ୍ତ ଦୁଇ ବା ଏକାଦଶ ଶ୍ରେଣୀ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ ୨୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଜୁନ୍ ୩୦ ତାରିଖ ରାତି ୧୧ଟା ୪୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ୱେବସାଇଟରେ ଆବେଦନ କରିପାରିବେ । ଜୁଲାଇ ୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ ୯ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅଗଷ୍ଟ ୧୨ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ ୨୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ନାମଲେଖାଇବେ । ଏହାପରେ ଜୁଲାଇ ୩୦ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚଏସ୍ ଲକିଂ ସୁବିଧା ଉପଲବ୍ଧ ହେବ । ଅଗଷ୍ଟ ୨ ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ । ସ୍ପଟ୍ ନାମଲେଖା ପାଇଁ ଅଗଷ୍ଟ ୬ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍କାଶ ସହ ଇଣ୍ଟିମେସନ୍ ଲେଟର ପ୍ରଦାନ କରାଯିବ । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଅଗଷ୍ଟ ୭ ତାରିଖ ମଧ୍ୟାହ୍ନ ୧୨ଟାରୁ ୧୨ ତାରିଖ ରାତି ୯ଟା ମଧ୍ୟରେ କଲେଜରେ ରିପୋର୍ଟିଂ କରିବେ । ମାତ୍ର ଜୁଲାଇ ୨୩ରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ସାଧାରଣ ବର୍ଗ, ଏସ୍ଇବିସି, ଓବିସି ବର୍ଗର ଛାତ୍ରଛାତ୍ରୀ ଆବେଦନ ଫି ୨୦୦ ଟଙ୍କା ଦାଖଲ କରିବେ । ଏସ୍ସି, ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଫି ରହିଛି । ମାତ୍ର ଭିନ୍ନକ୍ଷମ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫି ଛାଡ଼ କରାଯାଇଛି । ଏନେଇ ସମସ୍ତ ସୂଚନା ସାମ୍ସ ୱେବ୍ସାଇଟ୍ https://hss.samsodisha.gov.in/newHSS/index.aspxରେ ଉପଲବ୍ଧ ରହିଛି । ଆବେଦନ ସମୟରେ କୌଣସି ସମସ୍ୟାର ସମାଧାନ ପାଇଁ ସଂଯୋଗ ସହାୟତା ନମ୍ବର ୧୫୫୩୩୫, ୧୮୦୦୩୪୫୬୭୭୦ରେ କିମ୍ବା ଇ-ମେଲ୍ ଆଇଡି sams.dhse@gov.inରେ ଯୋଗାଯୋଗ କରିପାରିବେ ।

