ଆମେରିକାରେ ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥ ଲିକ୍, ୪୦ ହଜାର ଲୋକଙ୍କୁ ଖାଲି କରିବାକୁ ନିର୍ଦ୍ଦେଶ
ୱାସିଂଟନ, ୨୩|୫: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ବିପଜ୍ଜନକ ରାସାୟନିକ ପଦାର୍ଥ ଲିକ୍ ହୋଇଥିବା ରିପୋର୍ଟ ହୋଇଛି। ପ୍ରାୟ ୪୦ ହଜାର ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି। ରିପୋର୍ଟ ଅନୁଯାୟୀ, ପ୍ଲାଷ୍ଟିକ୍ ଅଂଶ ତିଆରିରେ ବ୍ୟବହୃତ ଏକ ବିପଜ୍ଜନକ ରାସାୟନିକ ପଦାର୍ଥ ଲିକ୍ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ, ରାସାୟନିକ ପଦାର୍ଥ ବିସ୍ଫୋରଣ ହୋଇପାରେ। ରାସାୟନିକ ପଦାର୍ଥ ଟାଙ୍କି ଲିକ୍ ମରାମତି କରିବା ପାଇଁ ପ୍ରୟାସ ଚାଲିଛି। ଘଟଣା ସମ୍ପର୍କରେ ଅରେଞ୍ଜ କାଉଣ୍ଟି ଅଗ୍ନିଶମ ବିଭାଗ କହିଛି ଯେ, ଗାର୍ଡେନ୍ ଗ୍ରୋଭ୍ ସହରର ଏକ ଏରୋସ୍ପେସ୍ ପ୍ଲାଷ୍ଟିକ୍ କାରଖାନାରେ ୨୨,୭୦୦ ରୁ ୨୬,୫୦୦ ଲିଟର ମିଥାଇଲ୍ ମେଥାକ୍ରିଲେଟ୍ ଭର୍ତ୍ତି ଏକ ଷ୍ଟୋରେଜ୍ ଟ୍ୟାଙ୍କ ଅତ୍ୟଧିକ ଉତ୍ତପ୍ତ ହୋଇଯାଇଥିଲା ଏବଂ ବାୟୁରେ ଏହାର ବାଷ୍ପ ବ୍ୟାପିବାକୁ ଲାଗିଥିଲା। ଗାର୍ଡେନ୍ ଗ୍ରୋଭ୍ କର୍ତ୍ତୃପକ୍ଷ ବାସିନ୍ଦାଙ୍କୁ ସହର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାର୍ଡେନ୍ ଗ୍ରୋଭ୍ ଅଗ୍ନିଶମ ମୁଖ୍ୟ କ୍ରେଗ୍ କୋଭେ କହିଛନ୍ତି ଯେ, ଟ୍ୟାଙ୍କଟି ଭାଙ୍ଗି ଫାଟିପାରେ, ଯାହା ଫଳରେ ରାସାୟନିକ ପଦାର୍ଥ ଭୂମିରେ ପଡ଼ିପାରେ କିମ୍ବା ଏହା ବିସ୍ଫୋରଣ ହୋଇପାରେ। କୋଭେ କହିଛନ୍ତି, ଟ୍ୟାଙ୍କଟି ଯେପରି ନଭାଙ୍ଗିବ ତାହା ରୋକିବା ପାଇଁ ଆମେ ସମସ୍ତ ପ୍ରକାରର ପ୍ରୟାସ କରୁଛୁ। ରାସାୟନିକ ଲିକ୍ ହେବା ଫଳରେ ପାଞ୍ଚଟି ଅନ୍ୟ ଅରେଞ୍ଜ କାଉଣ୍ଟି ସହର ସାଇପ୍ରେସ୍, ଷ୍ଟାଣ୍ଟନ୍, ଆନାହେମ୍, ବୁଏନା ପାର୍କ ଏବଂ ୱେଷ୍ଟମିନିଷ୍ଟରର କିଛି ବାସିନ୍ଦାଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହି ଘଟଣା ଜିକେଏନ୍ ଏରୋସ୍ପେସ୍ରେ ଘଟିଛି। ଯାହା ବାଣିଜ୍ୟିକ ଏବଂ ସାମରିକ ବିମାନର ବିଭିନ୍ନ ଅଂଶ ତିଆରି କରିଥାଏ। ଅଧିକାରୀମାନେ ରାତାରାତି ଟ୍ୟାଙ୍କରୁ ଲିକ୍ ବନ୍ଦ କରିବାରେ ଅସମର୍ଥ ହେବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା। ରାସାୟନିକ ଲିକ୍ ରୋକିବା ପାଇଁ ଘଟଣାସ୍ଥଳରେ ଏବେ ପ୍ରୟାସ ଜାରି ରହିଛି। ଅଧିକାରୀମାନେ କହିଛନ୍ତି ଯେ, ଏହାକୁ ବନ୍ଦ କରିବା ଅତ୍ୟନ୍ତ ଜରୁରୀ, ନଚେତ୍ ଏହା ବିସ୍ଫୋରଣ ହୋଇପାରେ।

