୬୦୦ କୋଟିର ଦୁର୍ନୀତି: ଘାଣ୍ଟୁଛି ଇଡି
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ବିଭାଗ ସହିତ ଜଡିତ ୬୦୦ କୋଟି ଟଙ୍କା ଘୋଟାଲାରେ ତନାଘନା ଆରମ୍ଭ କରିଛି ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏନେଇ ଇଡି ଦିଲ୍ଲୀରେ ତଦନ୍ତ ଆରମ୍ଭ କରିବା ସହିତ ଏକ ମନି ଲଣ୍ଡରିଂ ମାମଲା ଦାୟର କରିଛି। ଏହାସହିତ ଇଡି ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗଠାରୁ ଦସ୍ତାବିଜ ମାଗିଛି ଏବଂ ଚିକିତ୍ସା ଉପକରଣ କ୍ରୟ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ପଠାଇ ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ଏହାର ତଦନ୍ତର ଅଂଶ ସ୍ୱରୂପ କେନ୍ଦ୍ରୀୟ କ୍ରୟ ସଂସ୍ଥା (ସିପିଏ) ଏବଂ ଡିଜିଏଚଏସ ଦ୍ୱାରା କରାଯାଇଥିବା କ୍ରୟ ସହିତ ଜଡିତ ଡକ୍ୟୁମେଣ୍ଟ ଯୋଗାଇବାକୁ ଅନୁରୋଧ କରାଯାଇଛି। ଏହି ତଦନ୍ତର ପରିସର ମଧ୍ୟରେ ପୋର୍ଟେବଲ୍ ଏକ୍ସ-ରେ ମେସିନ୍, ସି-ଆର୍ମ ରେଡିଓଲୋଜିକାଲ୍ ଉପକରଣ, ଆନାସ୍ଥେସିଆ ୱାର୍କଷ୍ଟେସନ୍, ଓରାଲ୍ ରିହାଇଡ୍ରେସନ୍ ଲବଣ (ଓଆରଏସ), ବିଛଣା ଚାଦର, ଲାଇନେନ୍ ସାମଗ୍ରୀ, ସର୍ଜିକାଲ୍ ସାମଗ୍ରୀ, ଡ୍ରେସିଂ, ସିଲେଇ, କାନୁଲା, ଗ୍ଲୋଭସ୍ ଏବଂ ଔଷଧ କ୍ରୟ ଅନ୍ତର୍ଭୁକ୍ତ। ଏହା ସହିତ, ଯେଉଁ କମ୍ପାନୀ, ନିର୍ମାତା, ଓଇଏମ ଏବଂ ଯୋଗାଣକାରୀଙ୍କଠାରୁ ଚିକିତ୍ସା ଉପକରଣ କିଣାଯାଇଥିଲା ସେମାନଙ୍କଠାରୁ କାରବାର ବିବରଣୀ ମଗାଯାଇଛି। ଅନ୍ୟପଟେ ପ୍ରାୟ ୬୦୦ କୋଟି ମୂଲ୍ୟର ଦିଲ୍ଲୀ ଦୁର୍ନୀତି କିଛି ମାସ ଧରି ତଦନ୍ତକାରୀ ସଂସ୍ଥାଗୁଡ଼ିକର ନଜରରେ ରହିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଛି। ତଦନ୍ତକାରୀ ସଂସ୍ଥା ଉପକରଣ କ୍ରୟରେ ନିୟମ ପାଳନ କରାଯାଇଥିଲା କି ନାହିଁ ଏବଂ କୌଣସି ଆର୍ଥିକ ଅନିୟମିତତା ହୋଇଛି କି ନାହିଁ ତାହା ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ତଦନ୍ତ ଚାଲିଛି। ଇଡି ସୂତ୍ର ଅନୁଯାୟୀ, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ମିଳିଥିବା ତଥ୍ୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ବିରୁଦ୍ଧରେ ଯଥାସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।

