ଶିକ୍ଷକ ବଦଳିରେ ଅବହେଳା, ୭୯ ବିଇଓଙ୍କୁ ସୋ’କଜ୍ ନୋଟିସ୍
ଭୁବନେଶ୍ବର, ୨୩|୫: ଶିକ୍ଷକ ବଦଳିରେ ଅବହେଳା ନେଇ ୭୯ ବିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନଲାଇନ୍ ବଦଳି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇନଥିବା ଅଭିଯୋଗରେ ରାଜ୍ୟର ୭୯ ଜଣ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଚିଠି ଅନୁସାରେ, ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ବଦଳି ଆବେଦନ ପଠାଇବା ପାଇଁ ୧୦ ମେ ୨୦୨୬ ତାରିଖ ଶେଷ ସମୟସୀମା ରହିଥିଲା । କିନ୍ତୁ ଅନେକ ବିଇଓ ଏହାକୁ ଅବହେଳା କରି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫରୱାର୍ଡ କରିନଥିବା ଜଣାପଡ଼ିଛି । ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ସନ୍ତୋଷଜନକ ଉତ୍ତର ନମିଳିଲେ ସମ୍ପୃକ୍ତ ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ପଦକ୍ଷେପ ନିଆଯିବ । କାରଣ ଦର୍ଶାଅ ନୋଟିସ ପାଇଥିବା ବିଇଓମାନଙ୍କ ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା ଓ ରାୟଗଡ଼ା ସହ ବିଭିନ୍ନ ଜିଲ୍ଲାର ଅଧିକାରୀ ଅଛନ୍ତି । ବିଶେଷକରି ଗଞ୍ଜାମ, ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ବ୍ଲକ୍ରେ ବଦଳି ଆବେଦନ ଲମ୍ବିଥିବା ଜଣାପଡ଼ିଛି । ରାୟଗଡ଼ାର କାଶୀପୁର ବ୍ଲକ୍ରେ ୯୭ଟି ଆବେଦନ ମଧ୍ୟରୁ କେବଳ ୭ଟି ଫରୱାର୍ଡ ହୋଇଥିବାବେଳେ ଅନ୍ୟାନ୍ୟ ଅନେକ ବ୍ଲକ୍ରେ ଶୂନ୍ୟ ଫରୱାର୍ଡିଂ ରେକର୍ଡ ହୋଇଛି ।

